


ବଲାଙ୍ଗିର, 16 ଏପ୍ରିଲ୍ (ହି.ସ.)
: ଆଜି କୋଶଳ କଳା ମଣ୍ଡପ ପରିସରରୁ “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା ସଫଳତାର ସହିତ ଆୟୋଜିତ ହୋଇଛି । ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହିଳାଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଭାରତର ବିକାଶ ଯାତ୍ରାକୁ ଶକ୍ତିଶାଳୀ କରିବା ସହିତ ସରକାରଙ୍କ ପ୍ରତିବଦ୍ଧତାକୁ ମଜବୁତ କରିବା । ପଦଯାତ୍ରା କୋଶଳ କଳା ମଣ୍ଡପରୁ ଆରମ୍ଭ ହୋଇ, ଆଇନ ମହାବିଦ୍ୟାଳୟ ଛକ, ବିକ୍ରମ ଛକ ଦେଇ ଗତି କରି, ପୁଣି କୋଶଳ କଳା ମଣ୍ଡପରେ ସମାପ୍ତ ହୋଇଥିଲା । କାର୍ଯ୍ୟକ୍ରମରେ ରଞ୍ଜିତା ପାଣିଗ୍ରାହୀ, ଭାରତୀ ମହାନନ୍ଦ, ଉଷା କୁମାରୀ, ଡା. ଜ୍ୟୋତି ପାଣିଗ୍ରାହୀ, ରଶ୍ମୀ ଷଡଙ୍ଗୀ, ପଙ୍କଜିନୀ ପଣ୍ଡା, ଜିଲ୍ଲା ପ୍ରକଳ୍ପ ପରିଚାଳକ ନୀଳିମା କୁଜ୍ଜୁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ଶତପଥି, ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଭାସିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ, ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ମହିଳାଙ୍କର ନେତୃତ୍ୱ ଓ ଶାସନରେ ବଢୁଥିବା ଭୂମିକା ଦେଶର ସାମାଜିକ ଓ ଆର୍ଥିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ । ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କର ଅଧିକ ପ୍ରତିନିଧିତ୍ୱ ସୁସ୍ଥ ଲୋକତନ୍ତ୍ର ପାଇଁ ଆବଶ୍ୟକ । ୨୦୨୩ ସେପ୍ଟେମ୍ବରରେ ସଂସଦରେ ପାରିତ “ନାରୀ ଶକ୍ତି ବନ୍ଦନ ଅଧିନିୟମ” ଅନୁସାରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଏହି ସଂବିଧାନ ସଂଶୋଧନ ମହିଳାଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଧିକ ପ୍ରତିନିଧିତ୍ୱ ଦେବା ସହିତ ସମାଜରେ ସମାନତାର ପଥକୁ ଆଗେଇ ନେବ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକର ୨୦୦୦ରୁ ଅଧିକ ନାରୀ ସ୍ୱୟଂସହାୟକ ଗୋଷ୍ଠୀ (WSHGs) ସଦସ୍ୟ, ଜିଲ୍ଲା ସ୍ତରୀୟ ଫେଡରେସନ୍ର ପ୍ରତିନିଧି, କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ଆଙ୍ଗନବାଡ଼ି କର୍ମୀମାନେ ଉତ୍ସାହଭରା ଭାବରେ ଯୋଗଦେଇଥିଲେ । ମିଶନ ଶକ୍ତି ଓ ମହିଳା ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ