ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ କୋଟିଆ ଗସ୍ତ : ପୋଷଣ ଓ ଶିକ୍ଷା ବ୍ୟବସ୍ଥାର ତୃଣମୂଳ ସମୀକ୍ଷା
ଜୟପୁର, ୧୬ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳ କୋଟିଆରେ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ଓ ପୋଷଣ ସୁବିଧାର ସମୀକ୍ଷା କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର। ଗୁରୁବାର ଦିନ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ସେ କୋଟିଆ ପଞ୍ଚାୟତ
କୋଟିଆରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ: ପୋଷଣ ଓ ଶିକ୍ଷା ବ୍ୟବସ୍ଥାର ତୃଣମୂଳ ସମୀକ୍ଷା


ଜୟପୁର, ୧୬ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳ କୋଟିଆରେ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ଓ ପୋଷଣ ସୁବିଧାର ସମୀକ୍ଷା କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର। ଗୁରୁବାର ଦିନ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ସେ କୋଟିଆ ପଞ୍ଚାୟତ ପରିଦର୍ଶନ କରି ସେଠାରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ଅନୁଧ୍ୟାନ କରିଛନ୍ତି।

ରାଜ୍ୟବ୍ୟାପୀ ପାଳିତ ହେଉଥିବା ଅଷ୍ଟମ ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ଏକ ବିଶାଳ ସଚେତନତା ଶୋଭାଯାତ୍ରାରେ ସେ ସାମିଲ ହୋଇ ଗ୍ରାମବାସୀଙ୍କ ମଧ୍ୟରେ ପୁଷ୍ଟିସାର ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିଥିଲେ। ବିଶେଷ କରି ସେଠାକାର ମହିଳାମାନଙ୍କ ସହ ସିଧାସଳଖ ଆଲୋଚନା କରି ଗର୍ଭବତୀ ଓ ପ୍ରସୂତି ମାନଙ୍କ ସ୍ୱାସ୍ଥ୍ୟ ଏବଂ ଶିଶୁମାନଙ୍କ ସଠିକ୍ ପାଳନ ପୋଷଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।

ଏହି ଗସ୍ତ କାଳରେ ଶ୍ରୀମତୀ ପାତ୍ର କୋଟିଆ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ଓ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ଅସୁବିଧାର ତଦାରଖ କରିଥିଲେ। ସ୍ଥାନୀୟ ଅଞ୍ଚଳର କୌଣସି ବି ଶିଶୁ ଯେପରି ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସେ ଗୁରୁତ୍ୱ ଦେଇଥିଲେ। ଏ ଦିଗରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ଶିଶୁ ଅଧିକାର ଆୟୋଗ ସବୁବେଳେ ସଜାଗ ଓ ପ୍ରତିବଦ୍ଧ ଅଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।

ଶିକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବାକୁ ଯାଇ ସେ କୋଟିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟରେ ଥିବା କେତେକ ସମସ୍ୟା ତାଙ୍କ ନଜରକୁ ଆସିଥିଲା, ଯାହାର ତୁରନ୍ତ ନିରାକରଣ ପାଇଁ ସେ ଉପସ୍ଥିତ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋଟିଆର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସେଠାକାର ପରିମଳ ଓ ସ୍ୱଚ୍ଛ ପରିବେଶକୁ ଦେଖି ଅଧ୍ୟକ୍ଷା ବେଶ ପ୍ରଶଂସା କରିଥିଲେ। ଏହି ଗସ୍ତ ସମୟରେ ଅଧ୍ୟକ୍ଷାଙ୍କ ସହିତ ପଟ୍ଟାଙ୍ଗୀ ବିଡିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀର ଆଇନ୍ ଅଧିକାରୀ ଉପସ୍ଥିତ ଥିଲେ ।

ପରବର୍ତ୍ତୀ ଅପରାହ୍ନ ସମୟରେ କୋରାପୁଟ ଜିଲ୍ଲା ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ଆବାହନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷା ନିଜର ଗସ୍ତ ବିବରଣୀ ଓ ବିଭିନ୍ନ ସୁବିଧା ଅସୁବିଧା ଆଦି ଆଲୋଚନା କରିବା ସହ ଶିଶୁ ଅଧିକାର ସମ୍ବନ୍ଧୀୟ ନିର୍ଦ୍ଦେଶ ଆଦି ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande