

ମାଲକାନଗିରି, ୧୬ ଏପ୍ରିଲ୍ (ହି.ସ.)-
ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ ସରକାରି କର୍ମଚାରୀ ନୂଆ ନୂଆ କୌଶଳ ଆପଣାଇଛନ୍ତି । ମନରେଗା ଯୋଜନା କାର୍ଯ୍ୟରେ କେବେ ମେସିନ ବ୍ୟବହାର ହେଉଛି ତ କେବେ କାମ ନ ହେଇ ବିଲ୍ ଉଠାଯାଉଛି । ପୁଣି କେବେ ମୃତ ଶ୍ରମିକଙ୍କ ନାମରେ ଅର୍ଥ ପୈଠ ହେଉଛି । ଏସବୁ ବାଦେ ବର୍ତ୍ତମାନ ମନରେଗା ଯୋଜନାର ଅର୍ଥ ଲୁଟ ପାଇଁ ଶ୍ରମିକଙ୍କ ବଦଳରେ ଫଟୋରୁ ଫଟୋ ନେଇ ତାହାକୁ ମନରେଗା ପୋର୍ଟାଲ୍ ରେ ଅପଲୋଡ଼ କରାଯାଉଛି । ଦାଦନ ସମସ୍ୟାକୁ ଦୂର କରିବା ଓ ଶ୍ରମିକଙ୍କ ରୋଜଗାର ବଢ଼େଇବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ କରଯାଇଥିବା ଏହି ମନରେଗା ଯୋଜନାରେ ବାଟମାରଣାର ଏସବୁ ଚିତ୍ର ଦେଖିବା ପରେ ବାସ୍ତବିକ କ୍ଷେତ୍ରରେ ଯୋଜନା କେତେଦୂର ସଫଳ ହେଇଛି ତାହା ତଦନ୍ତ ସାପେକ୍ଷ । ଏପରି ଘଟଣା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପର ମେଟଲା ପଞ୍ଚାୟତର ଜାମଯୋଡି ଗ୍ରାମରେ ଚାଲିଥିବା ଟ୍ରେଞ୍ଚ କାମ ଯାହାର କୋଡ଼ ନମ୍ବର 24310090009/ଡବ୍ଲୁ ସି/11209745 ଏହି କାମରେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସମୟର ଫଟୋ ଏନଏମଏମଏସ ଆପରେ ଅପଲୋଡ଼ କରିବା ପରିବର୍ତ୍ତେ ମୋବାଇଲ ଫଟୋରୁ ଫଟୋ ଉଠେଇଥିବା ଏକ ଫଟୋ ଅପଲୋଡ଼ କରିଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମନରେଗା ଯୋଜନାରେ ଯେକୌଣସି କାର୍ଯ୍ୟ ଆରମ୍ଭ ହେଲେ କାର୍ଯ୍ୟ ଜାରୀ ଥିବା ସମୟରେ ସରକାରୀ ନିୟମ ଅନୁଯାୟୀ ଏହାର ଏନଏମଏମଏସ କରାଯାଏ । ଏନଏମଏମଏସ ଅର୍ଥ ହେଉଛି ନେସନାଲ ମେପିଂ ସିଷ୍ଟମ । ଏହି ଏନଏମଏମଏସ ଦ୍ଵାରା କାର୍ଯ୍ୟରତ ଶ୍ରମିକଙ୍କ ନାମ ଓ କାର୍ଯ୍ୟସ୍ଥଳୀରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଫଟୋ ଅପଲୋଡ଼ କରାଗଲେ ପ୍ରକୃତରେ କାର୍ଯ୍ୟରେ କେତେ ଶ୍ରମିକ ନିୟୋଜିତ ହେଇଛନ୍ତି ଏବଂ କାର୍ଯ୍ୟ ସଠିକ୍ ଭାବରେ ହେଉଛି କି ନାହିଁ ତାହା ସ୍ପଷ୍ଟ ହେଇଥାଏ । ତେବେ ଫଟୋରୁ ଫଟୋ ଅପଲୋଡ଼ କରିବା ସରକାରଙ୍କ ଆଖିରେ ଧୂଳି ଦେବା ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ତେଣୁ ଏପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ