
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଓଡ଼ିଶାରେ ନର୍ସିଂ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଅଣସଂକ୍ରାମକ ରୋଗ ଚିକିତ୍ସା, ପୁଷ୍ଟିସାଧନ ଏବଂ ଜରୁରୀକାଳୀନ ପ୍ରସୂତୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହଲିଙ୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଏବଂ ଜିପାଇଗୋ(ଜନ୍ ହପ୍ କିନ୍ସ ଆନ୍ତର୍ଜାତୀୟ ସ୍ତ୍ରୀ ରୋଗ, ପ୍ରସୂତୀ ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଉପଲକ୍ଷେ ଲୋକସଭା ଭବନ ସଭାଗୃହ ଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଶାସନ ସଚିବ ଡଃ ସନ୍ତୋଷ ମିଶ୍ର ଏବଂ ଜିପାଇଗୋଙ୍କ ତରଫରୁ ସଂସ୍ଥାର ଜାତୀୟ ନିର୍ଦ୍ଦେଶକ ଡଃ ଅମିତ୍ ଶାହ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣା ପତ୍ରର କୌଣସି ଆର୍ôଥକ ଲେଣଦେଣ ଉପରେ ପର୍ଯ୍ୟବେସିତ ନୁହେଁ । ଏହା ସମ୍ପୂର୍ଣ୍ଣ ସେବା ଭିତିକ । ବିଶ୍ୱ ସ୍ତରୀୟ ଗୁଣାତ୍ମକ ସେବା ନିମନ୍ତେ ଜ୍ଞାନ ଓ ପ୍ରାଜ୍ଞତାର ଆଦାନ-ପ୍ରଦାନ ଉପରେ ଏହି ବୁଝାମଣା ପତ୍ର ଆଧାରିତ ।
ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ ଯେ ବୁଝାମଣା ପତ୍ର ଦ୍ୱାରା ଜିପାଇଗୋ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ଓ ସହଭାଗିତା ପ୍ରତିଷ୍ଠା ହେବ। ମୁଖ୍ୟତଃ ସ୍ୱାସ୍ଥ୍ୟସେବାର ବିଶ୍ଳେଷଣ, ଯୋଜନା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବୈଷୟିକ ସହାୟତା, ବିଭିନ୍ନ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଅଭିଜ୍ଞତା ଓ ଶିକ୍ଷାର ଆଦାନ-ପ୍ରଦାନ, ବିଶ୍ୱ ସ୍ତରୀୟ ସର୍ବୋତମ ପ୍ରଣାଳୀ ଗୁଡିକୁ ଓଡ଼ିଶାର ଆବଶ୍ୟକତା ଅନୁଯାୟୀ କର୍ଯ୍ୟାୟନ; ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବୈଷୟିକ ପରାମର୍ଶ; ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାର ଦୃଢ଼ୀକରଣ; ପ୍ରଶିକ୍ଷକମାନଙ୍କର ଦକ୍ଷତା ବିକାଶ, ଡିଜିଟାଲ ଏବଂ ଇ-ଲର୍ନିଙ୍ଗ ପ୍ଲାଟଫର୍ମର ବ୍ୟବହାର, ସିମୁଲେଶନ ଆଦି ଏହି ସହଯୋଗିତାର ଅନ୍ତର୍ଭୁକ୍ତ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଏସ୍. ଅଶ୍ୱଥିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ନିର୍ଦ୍ଦେଶକମାନେ ବୁଝାମଣା ପତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପ ଶାସନ ସଚିବ ଅରୁଣା ତ୍ରିପାଠୀ ସଭା ଆୟୋଜନର ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା