
ବଲାଙ୍ଗୀର, ୧୬ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜେଶ କୁମାର ନାୟାରଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଗୁରୁବାର ଦିନ ପ୍ରକାଶ ପାଇଛି। ଅଦାଲତଙ୍କ ରାୟ ମତେ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ଜୋରିମାନା ମଧ୍ୟ ରହିଛି। ଅଭିଯୁକ୍ତମାନେ ଜୋରିମାନା ଅନାଦେୟ ହେଲେ ଆହୁରି ଏକବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ କଂଟାବାଞ୍ଜି ଥାନା କୁଲିଆଦର ଗ୍ରାମର ଡୋଳାମଣି ବନଛୋର ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ସେହି ଗ୍ରାମର ଗୋବିନ୍ଦ ନାୟକ ଓ ଅନ୍ୟ ଚାରିଜଣ ଅଭିଯୋଗକାରୀ ଡୋଳାମଣି ବନଛୋରଙ୍କ ଭାଇ ଶଶି ବନଛୋରଙ୍କୁ ଘରୁ ଡାକି ନେଇ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଶଶି ବନଛୋରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଡୋଳାମଣି କଂଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତତ୍କାଳିନ ଥାନା ଆଇ.ଆଇ.ସି. ଜ୍ୟୋର୍ତିମୟ ଭୁକ୍ତା ଥାନା କେସ୍ ନଂ. ୩୬/୨୦୧୭ ଦଫା ୧୪୭/୧୪୮/୩୦୨/୧୨୦(ବି)/୧୪୯ ଆଇ.ପି.ସି. ରୁଜୁ କରି ଅଧିକ ତଦନ୍ତ ଚଲାଇଥିଲେ। ଉକ୍ତ କେସର ସେସନ୍ସ କେସ୍ ନଂ. ୩୬/୨୦୧୭ ମତେ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଅଭିଯୁକ୍ତ ଅଲେଖ ଓରଫ ଘନଶ୍ୟାମ ତାଣ୍ଡି, ଗୋବିନ୍ଦ ତାଣ୍ଡି, ଲାଲମୋହନ ତାଣ୍ଡି, ଜଗ ତାଣ୍ଡି ଓ ବିଜୁ ଓ ବିଟୁ ସଗରିଆ ସମସ୍ତ ନିବାସୀ କୁଲିଆଦରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଫା ୩୦୨/୧୪୯ ଆଇ.ପି.ସି.ରେ ଜଣ ପିଛା ଟ. ୫୦୦୦ଙ୍କା ଜୋରିମାନା ଏହିପରି ମୋଟ ଟ.୨୫,୦୦୦/-ଙ୍କା ଦଣ୍ଡିତ କରିଥିବାବେଳେ ଜୋରିମାନା ଟଙ୍କା ଅନାଦେୟ ହେଲେ ଅଧିକ ଏକବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ କୁମାର ନାୟର ନିଜ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ(କେଡର) ଶ୍ରୀମତୀ ସେଲିନ କିଣ୍ଡୋ ପରିଚାଳନା କରୁଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ