
ବ୍ରହ୍ମପୁର, ୧୬ ଏପ୍ରିଲ୍ (ହି.ସ.)-
ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ମାସିକ ଆଲୋଚନା ସଭା ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ସଭାପତି ରାଧା ଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ ଏବଂ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସଭାପତି ଶ୍ରୀ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ପଲ୍ଲବ ସମ୍ପାଦକୀୟ ସହ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଆଲୋଚନା ପ୍ରସଙ୍ଗରେ ପୋଲିସ ପ୍ରଶାସନ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପୁନଃ ପ୍ରଦାନ କରିବା ପାଇଁ ଗୁରୁତ୍ବ ଆରୋପ କରାଯାଇଥିଲା l ଏଥି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ସକାଶେ ପତ୍ର ପ୍ରଦାନ କରିବାକୁ ସ୍ଥିର କରାଗଲା।
ଗଞ୍ଜାମ ଜିଲ୍ଲାପାଳ ଗୁରୁବାର ଦିନ ବରିଷ୍ଠ ନାଗରିକ ମାନଙ୍କୁ ବଡ ମେଡିକାଲ ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଏବଂ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଜିଲ୍ଲାପାଳ ତଥା ପ୍ରଶାସନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
କେନ୍ଦ୍ର ସରକାର ପୁନଶ୍ଚ ରେଳଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ପୂର୍ବ ପ୍ରଚଳିତ ରିହାତି ଯଥାଶୀଘ୍ର ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସ୍ବର୍ଗତ ନର୍ସୁ ଜେନାଙ୍କ ଦେହାନ୍ତରେ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିବା ସଦସ୍ୟ ସଦସ୍ୟା ମାନଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା।
ଅନୁଷ୍ଠିତ ସଭାରେ ସମ୍ପାଦକ ରଜନୀକାନ୍ତ ମଣ୍ଡଳ କୋଷାଧ୍ୟକ୍ଷ ଲଡୁ କେଶ ମିଶ୍ରଙ୍କ ସମେତ ରବିନ୍ଦ୍ର କୁମାର ନାୟକ, ଶ୍ୟାମା ପ୍ରସାଦ ପାଢୀ, ବିଜୟ କୁମାର ସାହୁ, କେ କିରଣ କୁମାର ଦୋରା, ସୁବାସ ଚନ୍ଦ୍ର ପାଢ଼ୀ, ଇ. ଦିଲେଷୁ ରେଡ୍ଡୀ ପ୍ରମୁଖଙ୍କ ସହ ଆଭାସୀ ମାଧ୍ୟମରେ ନିରଞ୍ଜନ ମହାପାତ୍ର, ହାଡ଼ିବନ୍ଧୁ ମାଳି ଏବଂ ଅକ୍ଷୟ କୁମାର ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ l ଅନୁଷ୍ଠାନର ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ ସାଂଗଠନିକ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ