
ଝାରସୁଗୁଡ଼ା, ୧୬ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ବିମାନବନ୍ଦର ଥାନା ଅନ୍ତର୍ଗତ ତାଳପଟିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟି ଅଂଚଳରେ ଚଂଚଳତା ସୃଷ୍ଟି କରିଛି। ଗ୍ରାମର ପ୍ରତିଷ୍ଠିତ ବ୍ୟବସାୟୀ ଦଶରଥ ଶର୍ମାଙ୍କ ଘରୁ ଦୁର୍ବୃତମାନେ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା, ରୁପା ଓ ହୀରା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରି ନେଇଛନ୍ତି।
ସୂଚନାନୁସାରେ, ଗରମ ଯୋଗୁଁ ଏସି ଚାଲୁ ନଥିବାରୁ ପରିବାର ସଦସ୍ୟମାନେ ଘରର ଉପର ମହଲାରେ ଶୋଇଥିଲେ। ଏହାର ସୁଯୋଗ ନେଇ ୩ରୁ ୪ ଜଣ ଦୁର୍ବୃତ ଘର ପଛପଟେ ପଶି ଆଲମିରା ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି।
ଚୋରି ହୋଇଥିବା ସାମଗ୍ରୀମାନଙ୍କ ମଧ୍ୟରେ ୪ଟି ସୁନା ଚେନ, ଏକ ଦାମୀ ହୀରା ସେଟ, ୧୦ରୁ ଅଧିକ ସୁନା କାନଫୁଲ ଓ ହାର ସହ ନଗଦ ୧୦ ହଜାର ଟଙ୍କା ରହିଥିବା ଜଣାପଡ଼ିଛି। ସମସ୍ତ ଅଳଙ୍କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଝାରସୁଗୁଡ଼ା ଏସପି ଗୁଣ୍ଡାଳା ରାଘବେନ୍ଦ୍ର ରେଡ୍ଡୀ, ଏସଡିପିଓ ଉମାଶଙ୍କର ସିଂ, ବିମାନବନ୍ଦର ଥାନା ଆଇଆଇସି ବନ୍ଦନା ନାୟକ ଓ ଏସଆଇ ଅରୁଣ ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରଙ୍କ ସହାୟତା ନେଇ ତଦନ୍ତକୁ ତ୍ୱରାନ୍ୱିତ କରୁଛି।
ଘରର ସିସିଟିଭି ଫୁଟେଜ ଯାଂଚ କରିବାରୁ ୩ ଜଣ ଦୁର୍ବୃତ ଘର ପଛପଟୁ ପଶୁଥିବା ଦୃଶ୍ୟ ଧରାପଡ଼ିଛି। ଏହି ଘଟଣାର ଗଭୀର ତଦନ୍ତ ଚାଲିଥିବା ସହ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏନେଇ ବିମାନବନ୍ଦର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଚୋରମାନଙ୍କ ସନ୍ଧାନରେ ପୋଲିସ ତଦନ୍ତ ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ