
ଧର୍ମଶାଳା,୧୬ଏପ୍ରିଲ(ହି.ସ.) - ବୈରୀ ବନଖଣ୍ଡ ଅଧିନ ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ ଆଜି ସକାଳ ବେଆଇନଭାବେ ଚାଲୁଥିବା କାଠ ଡିପୋ ଉପରେ ଅଚାନକ ଚଢାଉ କରାଯାଇଛି । ବୈରୀ -ଡାଳିଯୋଡା ରେଞ୍ଜ ବନବିଭାଗ ଓ କଟକ ମୋବାଇଲ ଟିମ୍ ପକ୍ଷରୁ ମିଳିତଭାବେ ବେଆଇନଭାବେ ଚାଲୁଥିବା କାଠ ଡିପୋରେ ଅତର୍କିତ ଚଢାଉ କରାଯାଇଥିଲା । ବୈରୀ-ଡାଳିଯୋଡା ବନାଚଂଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଏହି ଚଢାଉ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପ୍ରଥମେ ୨ଟି କାଠଡିପୋରେ ଚଢାଉ କରାଯାଇଥିବା ବେଳେ ବାକି ୩ଟି ଡିପୋରେ ବ୍ୟବସାୟୀମାନେ ଏହାକୁ ଦେଖି ବନ୍ଦ କରି ଫେରାର ହୋଇ ଯାଇଥିଲେ । ତେବେ ୨ଟି ଡିପୋରୁ ପାଖାପାଖି ୯୦ଖଣ୍ଡି ମୂଲ୍ୟବାନ କାଠ ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଶାଗୁଆନ,ଆକାଶି ଓ ଶିରିଷ କାଠ ଜବତ କରା ଯାଇ ବୈରୀ ରେଞ୍ଜକୁ ନିଆଯାଇ ଥିବା ଜଣାପଡିଛି । ଏହି ଚଢାଉରେ ଚଣ୍ଡିଖୋଲ ବନବିଭାଗ ଅଧିକାରୀ କୃଷ୍ଣ ଚନ୍ଦ୍ର ଟୁଡୁ ,ଗଡମଧୁପୁର ବନ ବିଭାଗ ଅଧିକାରୀ ବିକାଶ ରଂଜନ ସିଂ, ଅଜିତ ଜେନା,ବିପ୍ତିମୟୀ ଓ ଫରେଷ୍ଟ ଗାର୍ଡ ସାନ୍ତନୁ କୁମାର ନାୟକ,ଭାସ୍କର ନାୟକ, ଓ ରବି ନାୟକଙ୍କ ସମେତ କଟକ ମୋବାଇଲ ସ୍କାର୍ଡ ଟିମ୍ ସାମିଲ ହୋଇଥିଲେ । ଜବତ ହୋଇଥିବା କାଠର ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ନ ପାରିଲେ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈରୀ ବନାଚଂଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ