
ସମ୍ବଲପୁର, ୨୫ ଏପ୍ରିଲ୍(ହି.ସ.) – ସମ୍ବଲପୁର ସ୍ଥିତ ଏମସିଏଲ ପକ୍ଷରୁ ମାନବ ସମ୍ବଳ ନିର୍ଦ୍ଦେଶକ କେଶବ ରାଓଙ୍କ ଅଧ୍ୟକ୍ଷତାରେ ଆଜି ସମ୍ବଲପୁର ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି ନରାକାସ ତତ୍ୱାବଧାନରେ କମ୍ପାନୀ ମୁଖ୍ୟାଳୟ ପରିସରରେ ଏକ ଦିବସୀୟ 'ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ' ସଂଗୋଷ୍ଠୀ ଆୟୋଜିତ ହୋଇଯାଇଛି।
ଏମସିଏଲର ମୁଖ୍ୟ ସତର୍କତା ଅଧିକାରୀ ପି.କେ. ପଟେଲ, ନିର୍ଦ୍ଦେଶକ(ଅର୍ଥ) ଏ.କେ. ବେହୁରା, ପୂର୍ବ କ୍ଷେତ୍ର, କୋଲକାତାର ଉପ-ନିର୍ଦ୍ଦେଶକ(କାର୍ଯ୍ୟାନ୍ୱୟନ) ଡ଼. ବିଚିତ୍ରସେନ ଗୁପ୍ତ, ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ବିଶାଲ, ପୂର୍ବତନ ଉପ-ନିର୍ଦ୍ଦେଶକ ଅଜୟ ମଲ୍ଲିକ ଏବଂ ଏଚପିସିଏଲର ପୂର୍ବତନ ଉପ-ମହାପ୍ରବନ୍ଧକ ଡ. ରାମ ବିଚାର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ବିଷୟ ଭିତିକ ଅଧିବେଶନରେ, ଡକ୍ଟର ବିଚିତ୍ର ସେନ ଗୁପ୍ତ ରାଜଭାଷା କାର୍ଯ୍ୟାନ୍ୱୟନରେ ନରାକାସର ଭୂମିକା ଓ ଅବଦାନ ବିଷୟରେ; ଶ୍ରୀ ମଲ୍ଲିକ ଡିଜିଟାଲ୍ ଯୁଗରେ ହିନ୍ଦୀ: ଇ-ଗଭର୍ଣ୍ଣାନ୍ସ ଏବଂ ପ୍ରଶାସନିକ କୌଶଳରେ ବଦଳୁଥିବା ଭୂମିକା ବିଷୟରେ ଏବଂ ଡ. ଯାଦବ ରାଜଭାଷା ନୀତିର ପ୍ରଭାବୀ କାର୍ଯ୍ୟାନ୍ୱୟନରେ କାର୍ଯ୍ୟାଳୟ ମୁଖ୍ୟ ଏବଂ ରାଜଭାଷା ଅଧିକାରୀଙ୍କ ଭୂମିକା ତଥା ଶ୍ରୀ ବିଶାଲ ରାଜଭାଷା ହିନ୍ଦୀ ନୀତିରୁ ବ୍ୟବହାର ପର୍ଯ୍ୟନ୍ତ ବିଷୟ ଉପରେ ଆଲୋଚନା କରିଥିଲେ। ସଭାରେ ସମ୍ବଲପୁର ନରାକାସ ଦ୍ୱାରା ପ୍ରକାଶିତ “ନରାକାସ ସନ୍ଦର୍ଭିକା” ଉନ୍ମୋଚନ ପରେ ସ୍କୁଲ ଛାତ୍ର ଛାତ୍ରୀଙ୍କମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ଓ ଉପସ୍ଥିତ ସମସ୍ତ ବ୍ୟକ୍ତି ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଲ୍ ଇଣ୍ଡିଆ ଲିମିଟେଡର ଆନୁସଙ୍ଗିକ କମ୍ପାନୀ ଗୁଡ଼ିକର ପ୍ରତିନିଧିମାନଙ୍କ ସମେତ ପୂର୍ବ କ୍ଷେତ୍ରର ବିଭିନ୍ନ କାର୍ଯ୍ୟାଳୟ, ନରାକାସ ସମ୍ବଲପୁରର ସଦସ୍ୟ କାର୍ଯ୍ୟାଳୟ ଏବଂ ଏମସିଏଲ ମୁଖ୍ୟାଳୟ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧି, ରାଜଭାଷା ବିଭାଗର ଜିଏମ ସମ୍ବିତ ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ