
ଭୁବନ, ୨୫ ଏପ୍ରିଲ୍ (ହି.ସ.)- ଭୁବନ କଳା ପରିଷଦର ଦୁଇ ଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ହିଙ୍ଗୁଳା ମନ୍ଦିର ଯାତ୍ରା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଦିଲ୍ଲୀପ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ନାଟ୍ୟକାର ଗୁରୁ ଚରଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କୋଣାର୍କ ଗଣନାଟ୍ୟର ପ୍ରଯୋଜକ ଭାରତ ଭୂଷଣ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା, ସିନେ କଳାକାର ବାବୁ ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ଯାତ୍ରା ଖଳନାୟକ ସ୍ବର୍ଗତ ଜ୍ଞାନ ରଞ୍ଜନ ସାହୁ, ସଦାନନ୍ଦ ନାୟକ, ନିର୍ଦ୍ଦେଶକ ସନାତନ ସାହୁ, ପାଲାଗାୟକ ପୂର୍ଣାନନ୍ଦ ମିଶ୍ର ଓ ରାମକୃଷ୍ଣ ମିଶ୍ରଙ୍କୁ ହିଙ୍ଗୁଳା ସମ୍ମାନ - ୨୦୨୬ ରେ ସମ୍ମାନିତ କରାଯାଇଥିଲା। ମା ହିଙ୍ଗୁଳା ଦେବୀ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶଶୀ ଭୁଷଣ ପୃଷ୍ଟି , ସମ୍ପାଦକ କୁଞ୍ଜ ବିହାରୀ ଚିନରା, ଉପଦେଷ୍ଟା ଶକ୍ତି ପ୍ରସାଦ ସାହୁଙ୍କ ସମେତ ଅମ୍ବୁଜ ସାହୁ, ବିନୋଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ରାତ୍ର ବାର ଘଟିକା ସମୟରେ ସତ୍ୟବାଦୀ ସେନାପତିଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାମାଜିକ ନାଟକ ଖରାପ ଝିଅର ଗପ ଏବଂ କାନ୍ଦେନା ଲୁହ ସରିଯିବ ମଞ୍ଚସ୍ଥ ହୋଇଥିଲା । ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ନାଟକ ଉପଭୋଗ କରିଥିଲେ ।
ଦ୍ୱିତୀୟ ଦିବସ ଉଦଯାପନୀ ଉତ୍ସବରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଓ ନାଟ୍ୟକାର ଦୀପକ ଜେନା, ନିର୍ଦ୍ଦେଶକ ଦିନେଶ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଭୁବନ କଳା ପରିଷଦ ପରିଷଦର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SUSHANTA KUMAR POTHAL