
ପୁରୀ, ୨୫ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ବ୍ରହ୍ମଗିରି ସାତପଡ଼ା ଅଞ୍ଚଳ ଗୋରାପୁର ଗ୍ରାମର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ରାଜନୀତି ଜୋର୍ ଧରିଛି । ପୁରୀ ଏସପି ପ୍ରତୀକ ସିଂହଙ୍କୁ ଭେଟି ଆଲୋଚନା କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ଅଧ୍ୟକ୍ଷ ସତ୍ୟବ୍ରତ ପାତ୍ର (ରମୁ ପାତ୍ର )ଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ। ୨୧ ଜଣିଆ କଂଗ୍ରେସ ପ୍ରତିନିଧିମଣ୍ଡଳୀ ପୁରୀ ଏସପିଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ଗାଁକୁ ଯାଇ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛି ଦଳ । ସେହିପରି ନିୟମ ଅନୁଯାୟୀ ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦଳ ଦାବୀ କରିଛି। ନାବାଳିକାକୁ ଉଚିତ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ପୀଡିତା ପରିବାରକୁ ସୁରକ୍ଷା ଯୋଗାଇ ଦେବାପାଇଁ କଂଗ୍ରେସ ଦଳ ପକ୍ଷରୁ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l
ବ୍ରହ୍ମଗିରି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପ୍ରଥମେ ବାଲିହରଚଣ୍ଡୀ ପୀଠରେ ଗଣଦୁଷ୍କର୍ମ ଆଉ ଏବେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ । ବ୍ରହ୍ମଗିରିରେ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବା ସହ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଜିଲ୍ଲା ପୋଲିସ ପ୍ରଶାସନ ସତର୍କ ରହିବାକୁ ଦଳ ଦାବୀ କରିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ