
ଚମ୍ପୁଆ, ୨୫ ଏପ୍ରିଲ୍ (ହି.ସ.)- ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ତେବେ କାର୍ଯ୍ୟକ୍ରମରେ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୪ ତାରିଖ ଅପରାହ୍ନରେ ଚମ୍ପୁଆ ବ୍ଲକ ପରିସରରେ ବିଡ଼ିଓ ସ୍ମୃତି ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ପଞ୍ଚାୟତି ରାଜ ଜନ ପ୍ରତିନିଧି, ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମନ୍ତ୍ରିତ କରାଯାଇଥିଲା । ତେବେ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି (ସାମ୍ବାଦିକ)ଙ୍କୁ ହତାଦର କରାଯାଇଥିଲା । ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଆରମ୍ଭରୁ ସାମ୍ବାଦିକ ମାନେ ପହଞ୍ଚି ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିଲେ ମଧ୍ୟ ସେମାନଙ୍କୁ ବସିବାକୁ କୁହାଯାଇ ନଥିଲା । ସଭାସ୍ଥଳରେ ପ୍ରେସ ମିଡ଼ିଆ ଲେଖାଥିବା ବୋର୍ଡ ସାମ୍ବାଦିକଙ୍କୁ ଉପହାସ କରୁଥିଲା । ପ୍ରେସ ମିଡ଼ିଆ ବୋର୍ଡ ତଳେ ଥିବା ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଆସନ ସବୁ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ମାନେ ଅଳଙ୍କୃତ କରିଥିଲେ । ସରକାରୀ ସ୍ତରରେ ଯେ କୌଣସି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି କିପରି ସୂଚନା ସଂଗ୍ରହ କରିପାରିବା ପାଇଁ ସ୍ୱତନ୍ତ୍ର ଓ ଉପଯୁକ୍ତ ବ୍ୟବସ୍ଥା ରହିବା ଆବଶ୍ୟକ ହୋଇଥିବା ବେଳେ ବ୍ଲକ୍ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ । ଫଳରେ ଫଟୋ, ଭିଡିଓ ସହିତ ତଥ୍ୟ ସଂଗ୍ରହ କରି ଦୀର୍ଘ ସମୟ ଧରି ଏପଟ ସେପଟ ହେବା ପରେ ଅପମାନିତ ଅନୁଭବ କରି କିଛି ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକ୍ରମରୁ ପଳାଇ ଆସିଥିଲେ ଓ ଆଉ କିଛି ସମ୍ପର୍କ ଦୃଷ୍ଟିରୁ ଜିଭ କାମୁଡି ପଡି ରହିଥିଲେ। ସାମ୍ବାଦିକଙ୍କ ପ୍ରତି ବ୍ଲକ କର୍ତ୍ତୁପକ୍ଷଙ୍କ ଏଭଳି ବ୍ୟବହାରକୁ ସାଧାରଣରେ ବିରୋଧ ହେଉଥିବା ବେଳେ ବ୍ଲକରେ ଖୋଦ ବିଡ଼ିଓଙ୍କ ତତ୍ତ୍ୱାବଧାନରେ ହେଉଥିବା ଏହି ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି (ସାମ୍ବାଦିକ) ମାନଙ୍କୁ ବସିବା ପାଇଁ ସୁବିଧା ନଦେବା ସହିତ ଛିଡ଼ା କରାଇ ରଖିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta