

ବଲାଙ୍ଗୀର, ୨୫ ଏପ୍ରିଲ୍(ହି.ସ.) – ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ସ୍ଥିତ ଶ୍ରୀରାମ ମନ୍ଦିରରେ ପବିତ୍ର ସୀତା ନବମୀ ଅବସରରେ ମାତା ସୀତାଙ୍କର ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଦ୍ୱାରା ଅନୁଷ୍ଠିତ ଏହି ଉତ୍ସବରେ ରାମାୟଣ ପଠନ ଓ ବୈଠକୀ କୀର୍ତନ ଅନୁଷ୍ଠିତ ହୋଇଥିଲା। ସୀତା ନବମୀ, ଯାହାକୁ ଜାନକୀ ନବମୀ ବୋଲି ମଧ୍ୟ କୁହାଯାଏ। ମାତା ସୀତାଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ। ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ସହଧର୍ମିଣୀ ମାତା ସୀତା ଏହି ଦିନ ଆବିର୍ଭାବ ହୋଇଥିଲେ। ଏହା ବୈଶାଖ ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ପାଳନ କରାଯାଏ। ମିଥିଳା ସହିତ ଭାରତ ଓ ନେପାଳର ବିଭିନ୍ନ ସ୍ଥାନରେ ଏହାର ବିଶେଷ ମହତ୍ୱ ରହିଛି। ଏହି ଦିନଟିର ଆଧ୍ୟାତ୍ମିକ ଗୁରୁତ୍ୱ ବହୁତ, କାରଣ ସୀତା ଶୁଦ୍ଧତା, ଭକ୍ତି, ସହନଶୀଳତା ଓ ଧୈର୍ଯ୍ୟର ପ୍ରତୀକ। ଭକ୍ତମାନେ ବିଶେଷକରି ନାରୀମାନେ, ଉପବାସ କରି ପୂଜା କରନ୍ତି ଏବଂ ରାମାୟଣ ପାଠ କରି ପରିବାରର ସୁଖ-ଶାନ୍ତି, ଦାମ୍ପତ୍ୟ ଜୀବନ ଓ ଆତ୍ମିକ ଶକ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ସୀତା ନବମୀ ଆମକୁ ଧର୍ମ, ତ୍ୟାଗ ଓ ଅତୁଟ ବିଶ୍ୱାସର ମୂଲ୍ୟ ବୁଝାଇଥାଏ। ଆଜିର ଉତ୍ସବରେ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କର ଧର୍ମ ପତ୍ନୀ ରଶ୍ମି ରାଣୀ ମାତା ସୀତାଙ୍କର ପିତା ମାତା ଭୂମିକା ନିର୍ବାହ କରିଥିଲେ। ମନ୍ଦିରର ପୂଜକ ହିମାଂଶୁ ତ୍ରିପାଠୀଙ୍କ ଦ୍ୱାରା ପୂଜା ଓ ହୋମ ସମାପ୍ତ ହେବା ପରେ ପ୍ରସାଦ ସେବନ କରାଯାଇଥିଲା। ୨୦୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ସୀତା ନବମୀ ଉତ୍ସବ ମହାଆଡ଼ମ୍ବରରେ ପାଳନ କରାଯାଉଅଛି। ପ୍ରତ୍ୟେକ ବର୍ଷ ପରି ବାନ୍ଧନଘୋର ତଥା ଆଖପାଖ ଗ୍ରାମର ଭକ୍ତମାନେ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ମୁଖ୍ୟ ପରିଚାଳନା ଟ୍ରଷ୍ଟି ମନ୍ମୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହରେକୃଷ୍ଣ ବୁଡେକ, ଗଣ୍ଡରାମ ଗହୀର, ସୁରେଶ ବୁଡ଼େକ, ସତ୍ୟ ଗହୀର, ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ, ସର୍ବଜିତ ତ୍ରିପାଠୀ, ମୁଖୀ ମାଝୀ, ସବିତା ସାହୁ,ସବିତା ବୁଡେକ ଓ ଭୂମିସୁତା ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ