
ଚମ୍ପୁଆ, ୨୫ ଏପ୍ରିଲ୍ (ହି.ସ.)- ଚମ୍ପୁଆ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିଭିନ୍ନ ବାହାନା କରି ଅନୁଦାନ ଅର୍ଥକୁ ଚଳୁ କରା଼ଯାଉଥିବା ଅଭିଯୋଗ ହେଉଛି । କେଉଁଠି ବିନା ସୂଚନା ଫଳକରେ ନିମ୍ନମାନର କାମ ହେଉଛି ତ କେଉଁଠି କୌଣସି ଆବଶ୍ୟକତା ନ ଥାଇ କାମ କରାଯାଉଛି। ଯାହା ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଉଛି। ଏମିତି ଏକ କାର୍ଯ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ପୋଖରୀଆ ଗ୍ରାମରେ। ଏହି ଗ୍ରାମର ରାସ୍ତା କଡରେ ଥିବା ଏକ ଡ୍ରେନର ମରାମତି କାର୍ଯ୍ୟ କରା଼ଯାଇଛି। ଡ୍ରେନଟି କୌଣସି କ୍ଷତିଗ୍ରସ୍ତ ହୋଇ ନ ଥିବାବେଳେ ଏହି ଭଲ ଡ୍ରେନର କାନ୍ଥରେ ସିମେଣ୍ଟ ପାଣି ମାରି ତାକୁ ନୂଆ କରି ମରାମତି ନାମରେ ଅନୁଦାନ ଟଙ୍କାକୁ ହଡପ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।
ଲୋକଙ୍କ କହିବା ଅନୁସାରେ, ଏହି ଡ୍ରେନଟି ଭାଙ୍ଗି ନ ଥିଲା, କେବଳ ସଫା କରିଦେଇଥିଲେ କାମ ସରିଥାନ୍ତା, କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିତ ଭାବରେ ଚମ୍ପୁଆ ପଞ୍ଚାୟତ ସମିତି ନାମରେ ମରାମତି ବାହାନାରେ ଅନୁଦାନ ଆଣି ଭଲ ଡ୍ରେନ କାନ୍ଥ ଉପରେ ସିମେଣ୍ଟ ପାଣି ମାରି କାର୍ଯ୍ୟ ଶେଷ କରି ଦେଇଛନ୍ତି। ତେବେ ଏହି ଡ୍ରେନ ମରାମତି କାର୍ଯ୍ୟ ସରିବା ପର୍ଯ୍ୟନ୍ତ କୌଣସି ସୂଚନା ଫଳକ ମରାଯାଇ ନ ଥିବାରୁ ଏହି କାର୍ଯ୍ୟ ପାଇଁ କେତେ ଟଙ୍କା, କେଉଁ ବିଭାଗରୁ ଅନୁଦାନ ଦିଆଯାଇଛି ତାହା ଜଣା ପଡୁନାହିଁ।
ସରକାରଙ୍କ ନିୟମ ଅନୁଯାୟୀ, ଯେ କୌଣସି ସରକାରୀ କାର୍ଯ୍ୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ମାରିବା ବାଧ୍ୟତାମୂଳକ ଥିବାବେଳେ ଏଠାରେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ଅନୁଦାନ ଟଙ୍କାକୁ ଚଳୁ କରା଼ଯାଇଥିବା କୁହାଯାଉଛି। ତେବେ ଖୋଦ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ରମଣୀ ନାଏକଙ୍କ ନିଜ ଗ୍ରାମରେ ଏପରି ଅନିୟମିତତା ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନ ପଡିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta