
କେନ୍ଦୁଝର, ୨୫ ଏପ୍ରିଲ୍ (ହି.ସ.) - ପାଟଣା ମୁଖ୍ୟାଳୟର ସବୁଠାରୁ ପୁରୁଣା ଜି.ଏନ୍. ଉଚ୍ଚ ବିଦ୍ୟାଳୟର ଅବସ୍ଥା ଦୟନୀୟ ହୋଇପଡ଼ିଛି। ୧୯୪୯ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ୭୭ ବର୍ଷ ପୂରଣ କରିଥିବା ସତ୍ୱେ ଶ୍ରେଣୀଗୃହର ଅଭାବ ଦୂର ହୋଇନାହିଁ। ଏ ପର୍ଯ୍ୟନ୍ତ ପକ୍କା ଶ୍ରେଣୀ ବର୍ତମାନ ଛାତ୍ରଛାତ୍ର ଛାତ୍ରୀମାନେ ଟାଇଲ ଓ ଆଜବେଷ୍ଟ ଘରରେ ପାଠ ପଢୁଛନ୍ତି। ଗତ କିଛି ଦିନ ତଳେ ହୋଇଥିବା ଝଡ଼, ବର୍ଷା ଓ କୁଆପଥର ମାଡ଼ରେ ବିଦ୍ୟାଳୟର ଟାଇଲ ଓ ଆଜବେଷ୍ଟ ଛାତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନ ପକ୍ଷରୁ କେବଳ ଜରିପାଲ ଟାଣି ଦେଇ ତାତ୍କାଳିକ ବ୍ୟବସ୍ଥା କରାଯାଇଥିବାବେଳେ, କାଳବୈଶାଖୀ ପବନରେ ସେହି ପାଲ ମଧ୍ୟ ଉଡ଼ିଯାଉଛି। ଫଳରେ ଶ୍ରେଣୀକକ୍ଷରେ ପାଣି ପ୍ରବେଶ କରି ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ପୁରାତନ ଛାତ୍ର ଓ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରାତନ ଛାତ୍ର ବିଜୟ ରତ୍ନ ପତି ଓ ପ୍ରଶାନ୍ତ କୁମାର ଭଞ୍ଜଙ୍କ ଆହ୍ୱାନକ୍ରମେ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପସ୍ଥିତ ପ୍ରଧାନ ଶିକ୍ଷୟତ୍ରୀ ନିରୂପମା ନାଏକ କହିଥିଲେ ଯେ, ଜରୁରୀ ମରାମତି କାମ ନ ହେଲେ ପିଲାମାନଙ୍କର ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେବ। ଦୀର୍ଘ ସମୟ ଧରି ବିଦ୍ୟାଳୟର ଏପରି ଅବସ୍ଥା ପ୍ରଶାସନର ଅବହେଳାକୁ ପ୍ରକାଶ କରୁଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ବୈଠକରେ ନିଷ୍ପତି ହୋଇଛି ଯେ, ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ଓ ସମଗ୍ର ଉନ୍ନତି ପାଇଁ ଶିକ୍ଷା ମନ୍ତ୍ରୀ, ଶିକ୍ଷା ବିଭାଗ ସଚିବ, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ବୈଠକରେ ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ, କମଳାକାନ୍ତ ଦାଶ, ବିଶ୍ୱନାଥ ନାୟକ, ବିବେକାନନ୍ଦ ଦାଶ, ଆଡଭୋକେଟ ମହେଶ୍ୱର ପୃଷ୍ଟି, ଜିଲ୍ଲା ପରିଷଦ ସଦସ୍ୟ ରୁନୁ ମହାନ୍ତି ଓ ଅନ୍ୟାନ୍ୟ ସ୍ଥାନୀୟ ନେତୃତ୍ୱ ଓ ସମାଜସେବୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA