ମାଳିପଶି ଗ୍ରାମରେ ଡାଇରିଆର ଆତଙ୍କ ପ୍ରଶାସନିକ ଅବହେଳା ଓ କୁକୁଡ଼ା ଫାର୍ମକୁ ନେଇ ଜନଅସନ୍ତୋଷ
ଚମ୍ପୁଆ, ୨୬ ଏପ୍ରିଲ୍(ହି.ସ.) – ଚମ୍ପୁଆ ବ୍ଲକ ଉଚ୍ଚବାଲି ଗ୍ରାମପଂଚାୟତ ଅନ୍ତର୍ଗତ ମାଳିପଶି ଗ୍ରାମରେ ଏବେ ଡାଇରିଆ ବା ଝାଡ଼ାବାନ୍ତିର ପ୍ରାଦୁର୍ଭାବ ଦେଖାଦେଇଛି । ଗ୍ରାମର ଏକାଧିକ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷର ବାତାବରଣ ଖେଳିଯାଇଛି। ତେବେ ଏହି
ମାଳିପଶି ଗ୍ରାମରେ ଡାଇରିଆର ଆତଙ୍କ ପ୍ରଶାସନିକ ଅବହେଳା ଓ କୁକୁଡ଼ା ଫାର୍ମକୁ ନେଇ ଜନଅସନ୍ତୋଷ


ଚମ୍ପୁଆ, ୨୬ ଏପ୍ରିଲ୍(ହି.ସ.) – ଚମ୍ପୁଆ ବ୍ଲକ ଉଚ୍ଚବାଲି ଗ୍ରାମପଂଚାୟତ ଅନ୍ତର୍ଗତ ମାଳିପଶି ଗ୍ରାମରେ ଏବେ ଡାଇରିଆ ବା ଝାଡ଼ାବାନ୍ତିର ପ୍ରାଦୁର୍ଭାବ ଦେଖାଦେଇଛି । ଗ୍ରାମର ଏକାଧିକ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷର ବାତାବରଣ ଖେଳିଯାଇଛି। ତେବେ ଏହି ସଙ୍କଟ ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ଅବହେଳା ଏବଂ ଗ୍ରାମ ମଧ୍ୟରେ ଥିବା ଏକ ବେଆଇନ କୁକୁଡ଼ା ଫାର୍ମ ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରୋଗ ବ୍ୟାପିବା ପରେ ସେମାନେ ସ୍ଥାନୀୟ ଆଶା କର୍ମୀ ଓ ଏଏନ୍ଏମ୍ ଦିଦିଙ୍କୁ ଓଆରଏସ ପ୍ୟାକେଟ୍ ମାଗିଥିଲେ। କିନ୍ତୁ ସ୍ୱାସ୍ଥ୍ୟ କର୍ମୀମାନେ ପାଖରେ ଔଷଧ ନଥିବା କହି ରୋଗୀଙ୍କୁ ଡାକ୍ତରଖାନା ଯିବାକୁ କହି ଦାୟିତ୍ୱ ସାରିଦେଇଥିଲେ। ଯଦି ଜରୁରୀ ସମୟରେ ଆମକୁ ସାଧାରଣ ଓଆର୍ଏସ୍ ଟିକେ ମିଳିବ ନାହିଁ, ତେବେ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକର୍ମୀ ରହି କି ଲାଭ ବୋଲି ଗ୍ରାମବାସୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସରକାରୀ ସ୍ତରରେ ଗାଁ ଗାଁରେ ସ୍ୱାସ୍ଥ୍ୟସେବା ପହଂଚାଇବା ପାଇଁ ବଡ଼ ବଡ଼ ଦାବି କରାଯାଉଥିବା ବେଳେ, ଜରୁରୀ ସମୟରେ ଓଆରଏସ ଟିକେ ନମିଳିବା ସ୍ୱାସ୍ଥ୍ୟ ବିଭାଗର ଅସଲ ମୁଖା ଖୋଲିଦେଇଛି। ତେବେ ଗ୍ରାମରେ ଡ଼ାଇରିଆ ବ୍ୟାପିବା ଖବର ପାଇବାପରେ ସ୍ଥାନୀୟ ସିଏଚଓ ସଙ୍ଗେ ସଙ୍ଗେ ଗ୍ରାମରେ ପହଂଚି ସମସ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ରୋଗୀ ମାନଙ୍କୁ ଚିକିତ୍ସା ବ୍ୟବସ୍ଥା କରିଥିଲେ ଏବଂ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଡାକ୍ତରୀ ଟିମ ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମ କାଳ ସାଜିଥିବା କୁହା ଯାଉଛି। ଏହି ଫାର୍ମ ମାଲିକ ସରକାରୀ ନିୟମକୁ ଫୁ’ କରି ଗ୍ରାମର ଜନବସତିରୁ ମାତ୍ର ୧୦୦ ମିଟର ଦୂରତାରେ ବ୍ରଏଲର କୁକୁଡ଼ା ଫାର୍ମ କରିଛନ୍ତି, ଯାହା ସରକାରୀ ନିୟମର ସମ୍ପୂର୍ଣ୍ଣ ବିରୁଦ୍ଧ। ନିୟମ ଅନୁଯାୟୀ, ଜନବସତିଠାରୁ ଅତି କମରେ ୫୦୦ମିଟର ଦୂରତାରେ ଫାର୍ମ ରହିବା କଥା, ମାତ୍ର ଏଠାରେ ସବୁ ନିୟମକୁ ବେଖାତିର କରାଯାଇଛି। ଫାର୍ମ ଯୋଗୁଁ ଗାଁରେ ଅସଂଖ୍ୟ ମାଛି ବ୍ୟାପୁଛନ୍ତି। ଲୋକେ ଶାନ୍ତିରେ ଖାଇପାରୁନାହାନ୍ତି କି ଶୋଇପାରୁନାହାନ୍ତି। ଖାଦ୍ୟ ପଦାର୍ଥରେ ମାଛି ବସିବା ଫଳରେ ଲୋକେ ଡାଇରିଆ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହାସହ ଗାଁ ଜନବସତି ନିକଟରେ ଥିବା କୁକୁଡ଼ା ଫାର୍ମକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ସେମାନେ ଦାବି କରିଛନ୍ତି।

ପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମାଳିପଶି ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ସହ ବେଆଇନ ଫାର୍ମ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଏହି ଡାଇରିଆ ମହାମାରୀ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓମପ୍ରକାଶ ବାରିକଙ୍କୁ ପଚାରିବାରୁ ବର୍ତମାନ ସ୍ଥିତି ଭଲ ଅଛି ଆଗକୁ ଆମେ ସଜାଗ ହୋଇ ରହିଛୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande