ଭାଜପା ମହିଳା ମୋର୍ଚ୍ଚାର ବିଶାଳ ଜନ ଆକ୍ରୋଶ ପଦଯାତ୍ରା, ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ
Rally by bjp jharsuguda
ଭାଜପା ମହିଳା ମୋର୍ଚ୍ଚାର ବିଶାଳ ଜନ ଆକ୍ରୋଶ ପଦଯାତ୍ରା, ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ


ଝାରସୁଗୁଡ଼ା, ୨୬ ଏପ୍ରିଲ୍ (ହି.ସ.) - ଭାରତୀୟ ଜନତା ପାର୍ଟି (ଭାଜପା) ଝାରସୁଗୁଡ଼ା ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ରବିବାର ଏକ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବିରୋଧୀ ଦଳଙ୍କ ଦ୍ୱାରା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରାଯାଉଥିବା ଓ ମହିଳା ବିରୋଧୀ ଆଭିମୁଖ୍ୟ ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିବା ସୂଚନା ମିଳିଛି।

ରବିବାର ସ୍ଥାନୀୟ ବେହେରାମାଲ ସ୍ଥିତ କିଷାନ ଛକରୁ ଶତାଧିକ ମହିଳା କାର୍ଯ୍ୟକର୍ତାଙ୍କ ସହ ଏହି ପଦଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାପ୍ତ ହୋଇଥିଲା। ସେଠାରେ ଆନ୍ଦୋଳନକାରୀ ମହିଳାମାନେ ନିଜର ଆକ୍ରୋଶ ବ୍ୟକ୍ତ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିଥିଲେ।

ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରୀନା ପଟେଲ, ବ୍ରଜରାଜନଗର ବିଧାନସଭା ସଂଯୋଜିକା ସୁଜାତା ସେଠ, ଝାରସୁଗୁଡ଼ା ବିଧାନସଭା ସଂଯୋଜିକା ପଦ୍ମିନୀ ପଟେଲ, ଲଖନପୁର ସରପଂଚ ଆରତୀ ପ୍ରଧାନ, ବ୍ରଜରାଜନଗର କାଉନସିଲର ଉଷାରାଣୀ ଚାନ୍ଦ, ବରିଷ୍ଠ କାର୍ଯ୍ୟକର୍ତା ତିଳୋତମା ଛଛାନ ଓ ନଳିନୀ ପ୍ରଧାନ ସହିତ ପ୍ରେମସେନ ରାୟ ଓ ବିମଳେନ୍ଦୁ ଭୋଲ ଆଦି ଉପସ୍ଥିତ ଥିଲେ।

ଏହି ଅବସରରେ ନେତୃବୃନ୍ଦ କହିଥିଲେ ଯେ, କେନ୍ଦ୍ର ସରକାର ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ବିଭିନ୍ନ ଐତିହାସିକ ପଦକ୍ଷେପ ନେଉଥିବା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରି ନିଜର ଅସଲ ମୁହଁ ପ୍ରକାଶ କରୁଛି। ନାରୀ ସମ୍ମାନ ଓ ଅଧିକାର ପାଇଁ ଭାଜପାର ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande