

ଭୁବନେଶ୍ୱର, ୨୬ ଏପ୍ରିଲ୍ (ହି.ସ.)-
ଆଜି ଭୁବନେଶ୍ବର ସ୍ଥିତ ଭାରତୀୟ ମଜଦୁର ସଂଘ ରାଜ୍ଯ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ପରିସଂଘର ରାଜ୍ଯ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମତୀ ପ୍ରମୋଦିନୀ ଦାସ ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ପଦ୍ମ ଲୋଚନ ନାୟକ ବିବରଣୀ ପାଠ କରିଥିଲେ। ମୂଖ୍ଯ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସମ୍ପାଦିକା ସୁଶ୍ରୀ ଅଞ୍ଜଳି ପଟେଲ ମାର୍ଗ ଦର୍ଶନ କରିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ସଂଗଠନ ସମ୍ପାଦକ ଅଷୟ ପାଟ୍ଟଯୋଶୀ, ଉପ ସଭାପତି ନିଗମାନନ୍ଦ ପଟ୍ଟନାୟକ ଓ ପ୍ରଭାକର ରାଉତ ସମ୍ପାଦକ ସୁବାସ ଚନ୍ଦ୍ର ଷଡଙ୍ଗୀ କୋଷାଧ୍ୟକ୍ଷ ବିଶ୍ୱଜିତ ନାୟକ ଓ ହାଡିବନ୍ଧୁ ମହାକୁଡ ପ୍ରମୁଖ ମଞ୍ଚାସୀନ ଥିଲେ।
ରାଜ୍ଯରେ ବରିଷ୍ଠ ନାଗରିକ ମାନଙ୍କ ସମ୍ପର୍କରେ ସରକାର ବହୁବିଧ ସୁବିଧା ରଖିଥିଲେ ମଧ୍ଯ ବାସ୍ତବିକ ଭାବେ ତାହା କାର୍ଯ୍ଯକାରୀ ହେଉନାହିଁ। ସେ ମଧ୍ୟରୁ ବ୍ୟାଙ୍କ, ଡାକ୍ତରଖାନା ଓ ବିଭିନ୍ନ ସରକାରୀ ଦପ୍ତରରେ ଫଳକ ଲାଗିଥିଲେ ମଧ୍ଯ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସ୍ବତନ୍ତ୍ର ଧାଡିର ବ୍ଯବସ୍ଥା ହେଉନାହିଁ। ସେହିଭଳି ସରକାରୀ ବସ୍, ଟ୍ରେନ ଓ ବିମାନ ଯାତ୍ରା କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଟିକେଟ ଭଡାରେ କୌଣସି ରିହାତି ବ୍ଯବସ୍ଥା ନ ଥିବାରୁ ବକ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ। ଅନୁରୁପ ଭାବରେ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ସର୍ବନିମ୍ନ ବୟସ ସୀମା ୭୦ ବର୍ଷ ପରିବର୍ତ୍ତେ ୬୦ ବର୍ଷକୁ କମାଇବା ପାଇଁ ସଂଘ ତରଫରୁ ତୀବ୍ର ଦାବୀ ଉପସ୍ଥାପନ କରାଯାଇଥିଲା। ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବାର୍ଦ୍ଧକ୍ଯ ଭତ୍ତା ସର୍ବନିମ୍ନ ୫୦୦୦ ଟଙ୍କା ପ୍ରଦାନ କରିବାକୁ ଦାବୀ କରାଯାଇଥିଲା। ଅଂଶୁଘାତରୁ ରକ୍ଷାକରିବା ନିମନ୍ତେ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଶଜ୍ୟା ସଂଖ୍ୟା ବୃଦ୍ଧି କରାଯାଉ।
ଏହି କାର୍ଯ୍ଯକ୍ରମରେ ଓଡିଶାର ୧୬ଟି ଜିଲ୍ଲାରୁ ଶତାଧିକ ବରିଷ୍ଠ କାର୍ଯ୍ଯକର୍ତ୍ତା ଯୋଗଦାନ କରିଥିଲେ। ସର୍ବ ଶେଷରେ ହାଡିବନ୍ଧୁ ମହାକୁଡ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ