
କୋଲକାତା, ୨୮ ଏପ୍ରିଲ୍(ହି.ସ.) – ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ଠିକ୍ ପୂର୍ବରୁ ଭାରତର ନିର୍ବାଚନ ଆୟୋଗ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଆୟୋଗ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ୧୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀର ଏକ ବିସ୍ତୃତ ତାଲିକା ଦାଖଲ କରିଛନ୍ତି, ଯେଉଁଥିରେ ନିର୍ବାଚନ ସମୟରେ ଅନିୟମିତତାରେ ଲିପ୍ତ ଥିବା ଲୋକଙ୍କ ନାମ ଅନ୍ତର୍ଭୁକ୍ତ।
ସୂତ୍ର ଅନୁଯାୟୀ, ଅପ୍ରେଲ ୨୭ରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାଳୟରୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ପଠାଯାଇଥିଲା। ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯେଉଁ ଅଂଚଳରୁ ପ୍ରଥମ ପର୍ଯ୍ୟାୟରେ ଧମକ ଏବଂ ହିଂସା ଅଭିଯୋଗ ଆସିଥିଲା, ସେହି ଅଂଚଳକୁ ଦ୍ୱିତୀୟ ପର୍ଯ୍ୟାୟରେ ପୁନରାବୃତି କରାଯିବା ଉଚିତ ନୁହେଁ। ଏହି ତାଲିକାରେ ଅନେକ ତୃଣମୂଳ ନେତାଙ୍କ ନାମ ମଧ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ମୋଗ୍ରାହାଟ ପଶ୍ଚିମ ପ୍ରାର୍ଥୀ ତଥା ଅଭିଷେକ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ସମୀମ ଅହମ୍ମଦ, ଫାଲତା ନେତା ଜାହାଙ୍ଗୀର ଖାନ, ଶେଖ ଶାହାଜାହାନ ଏବଂ ଶିବପ୍ରସାଦ ହାଜରାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ବସିରହାଟ ଅଂଚଳର ବାରିକ୍ ବିଶ୍ୱାସ ଏବଂ ସାହାନୁର ମଣ୍ଡଳଙ୍କ ନାମ ମଧ୍ୟ ତାଲିକାରେ ଉଲ୍ଲେଖ କରାଯାଉଛି।
ଆୟୋଗଙ୍କ ଦ୍ୱାରା ପଠାଯାଇଥିବା ତାଲିକାରେ ସନ୍ଦିଗ୍ଧ ଲୋକଙ୍କ ନାମ ଏବଂ ଏପରିକି ଉତର ଏବଂ ଦକ୍ଷିଣ ୨୪ ପ୍ରଗଣା ସମେତ ଅନେକ ଜିଲ୍ଲାର ମୋଟ ୧୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେମାନଙ୍କ ଯୋଗାଯୋଗ ବିବରଣୀ ଅନ୍ତର୍ଭୁକ୍ତ। ଚିଠିରେ ଆୟୋଗ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ଆଗାମୀ ୭୨ ଘଂଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଲିକାରେ ଥିବା ବ୍ୟକ୍ତିଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ଆବଶ୍ୟକ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି