
ଚମ୍ପୁଆ, ୩୦ ଏପ୍ରିଲ୍(ହି.ସ.) – ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଂଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଏବେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଖବର ଅନୁସାରେ, ଚନ୍ଦ୍ରଶେଖରପୁର ଛକ ଠାରେ ୨୦୨୧-୨୨ ଆର୍ôଥକ ବର୍ଷର ଅନୁଦାନରେ ଏକ କଲ୍ଭଟ ସହିତ ଡ୍ରେନ୍ ନିର୍ମାଣ କାର୍ଯ୍ୟ ପାଇଁ ୨,୫୦,୧୧୮ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ପ୍ରଶାସନିକ ଅବହେଳା ଯୋଗୁଁ ଏହା ଅଧାପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ପ୍ରତିମୁହୂର୍ତରେ ବିପଦକୁ ନିମନ୍ତ୍ରଣ କରୁଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କଲ୍ଭଟ୍ (ଛୋଟ ପୋଲ) କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଡ୍ରେନ୍ ପାଇଁ ଗଭୀର ମାଟି ଖୋଳାଯାଇ ଦୀର୍ଘ ଦିନ ଧରି ଛାଡି ଦିଆଯାଇଛି। ସମ୍ପୃକ୍ତ ସ୍ଥାନରେ ପ୍ରତ୍ୟେକ ମଙ୍ଗଳବାର ଦିନ ବଡ଼ ସାପ୍ତାହିକ ହାଟ ବସିଥାଏ। ଖୋଳାଯାଇଥିବା ଗାତ ଯୋଗୁଁ ବ୍ୟବସାୟୀମାନେ ପସରା ମେଲାଇ ପାରୁନାହାନ୍ତି କି ଗ୍ରାହକମାନେ ସୁରକ୍ଷିତ ଭାବେ ଚଲାବୁଲା କରିପାରୁନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୨୦୨୧-୨୨ ବର୍ଷର କାମ ଏପର୍ଯ୍ୟନ୍ତ ଶେଷ ନହେବା ଦୁର୍ଭାଗ୍ୟଜନକ। ମାଟି ଖୋଳି ଛାଡିଦେବା ଫଳରେ ସାମାନ୍ୟ ବର୍ଷା ହେଲେ ଏହା ପୁରୀ ଯାଉଛି ଏବଂ ହାଟକୁ ଆସୁଥିବା ଲୋକେ ଗାତରେ ପଡି ଆହତ ହେବାର ମଧ୍ୟ ନଜିର ରହିଛି। ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta