
ମୁଖୀଗୁଡ଼ା, ୩୦ ଏପ୍ରିଲ୍(ହି.ସ.) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ଅଫିସରେ ବିଳମ୍ବିତ କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ତହସିଲ ଅଫିସ ସାମନାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସୁଚନା ଅନୁଯାୟୀ ୧୯୬୭ରେ ପର୍ଲା ଗ୍ରାମର ଦୟାନିଧି ଜାଲ ଏକ ଜମି କିଣିଥିଲେ। ପରେ ମ୍ଯୁଟେସନ କେସ ନଂ ୧୪୬୩ ତା ୭/୧୨/୬୭ରେ ଦାଖଲ ଖାରଜ ହୋଇ ମୂଳ ଖାତା ୪୫ରୁ କଟି ୧୧୯/୪୭ ଏକ ନୂତନ ଖାତା ହେଲା। କିଛି ବର୍ଷ ତଳେ ଯେତେବେଳେ ଜମିଜମା ସଂକ୍ରାନ୍ତୀୟ କାଗଜାତର କମ୍ପ୍ୟୁଟରୀକରଣ କରାଗଲା ସେତେବେଳେ ରେକର୍ଡ ଉପଲବ୍ଧ ନାହିଁ ବୋଲି ସଂପୃକ୍ତ ଜମିକୁ ଭୂଲେଖରେ ଦର୍ଶାଗଲା ନାହିଁ। ଉକ୍ତ ଜମିର ଭୂଲେଖ ଅପଡେଟ ପାଇଁ ଦୟାନିଧିଙ୍କ ପୁତ୍ର ତଥା ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ ମାର୍ଚ୍ଚ ୨୦ତାରିଖ ଦିନ ଧର୍ମଗଡ଼ ତହସିଲଦାରଙ୍କ ନିକଟରେ ଆବେଦନ କଲେ। ଆବେଦନର ୧୭ ଦିନ ପରେ ଏପ୍ରିଲ ୭ତାରିଖରେ ପର୍ଲା ରାଜସ୍ୱ ନିରିକ୍ଷକଙ୍କୁ ଏସଂକ୍ରାନ୍ତରେ ଚିଠି ନଂ ୧୬୬୩ରେ ରିପୋର୍ଟ ମଗାଗଲା। ଚିଠିର ୧୦ ଦିନ ପରେ ପର୍ଲା ରାଜସ୍ୱ ନିରିକ୍ଷକ ରିପୋର୍ଟ ପ୍ରଦାନ କଲେ। କିନ୍ତୁ ତା ୨୭/୪/୨୬ରେ ରିପୋର୍ଟରେ ଦଖଲ ଏବଂ ପାଉତି ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ ବୋଲି ରିପୋର୍ଟ ଫେରାଇ ଦେଇଥିଲେ। ସୁଚନା ଯୋଗ୍ୟ ଯେ ଜମି କିଣିବା ପରଠାରୁ ଉକ୍ତ ଜମି ଦୟାନିଧି ଜାଲଙ୍କ ଦଖଲରେ ଥିବାବେଳେ ସେ ପାଉତି ପଇଠ କରିଆସୁଛନ୍ତି। ନିୟମିତ ଉକ୍ତ ଜମିର ପଞ୍ଜୀକରଣ କରି ଧାନ ବିକ୍ରୀ କରୁଛନ୍ତି। ତା ସତ୍ୱେ ବି ଦୀର୍ଘ ୫୦ଦିନ ପରେ ମଧ୍ୟ ସମସ୍ତ ତଥ୍ୟ ଉପଲବ୍ଧ ଥାଇବି ଭୂଲେଖ ଅପଡେଟ ହୋଇନପାରିବା ଘଟଣାରେ ବ୍ୟଥିତ ହୋଇ ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ ଆସନ୍ତା ମେ ୫ ତାରିଖରୁ ତହସିଲ ଅଫିସ ସାମନାରେ ଧାରଣା ପ୍ରଦର୍ଶନ କରିବାକୁ ଦାବିପତ୍ର ଦେଇଥିଲେ। ଦାବିପତ୍ର ଗ୍ରହଣ କରି ଯଥାଶୀଘ୍ର ଅପଡେଟ କରିବାକୁ ତହସିଲଦାର କିର୍ତୀଚନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ସମର୍ଥନ ଜଣାଇ ସାମ୍ବାଦିକ ବିଦ୍ୟାଧର ସାହୁ, ସୁବାଷ ବାଗ, ସୁଧିର ଗୋପାଳ, ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝୀ, ରମଣିକାନ୍ତ ଜାଲ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ନିହାର