
ବ୍ରହ୍ମପୁର, ୩୦ ଅପ୍ରେଲ (ହି.ସ.)- ଓଡ଼ିଆଙ୍କ ଜାତୀୟ ସମ୍ମିଳନୀ ଉତ୍କଳ ସମ୍ମିଳନୀ ଜରିଆରେ ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା କୋଟି କୋଟି ଓଡ଼ିଆଙ୍କ ହୃତ ଗୌରବ ମୃତ ଗୌରବ ଫେରାଇ ଆଣି ସମସ୍ତ ଙ୍କ ମନରେ ଓଡ଼ିଆ ଜାତୀୟତାକୁ ଜାଗ୍ରତ କରିବା ପାଇଁ ଉତ୍କଳ ଜନନୀଙ୍କ ବରେଣ୍ୟ ବରପୁତ୍ର ସ୍ୱାଭିମାନୀ ଓଡ଼ିଆ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆପ୍ରାଣ ଉଦ୍ୟମ ଫଳ ସ୍ୱରୂପ ଭାରତ ସ୍ବାଧୀନତାର ଦୀର୍ଘ ୧୧ ବର୍ଷ ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ଭାଷା ଭିତ୍ତିକ ରାଷ୍ଟ୍ର ଭାବେ ବ୍ରିଟିଶ ସରକାର ଏକ ରକମ ବାଧ୍ୟ ହୋଇଥିଲା। ମଧୁବାବୁଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟାନ୍ୟ ବରପୁତ୍ର ମାନଙ୍କର ଉଦ୍ୟମ ସାକାର ହୋଇ ପାରିଥିଲା ୧ ଏପ୍ରିଲ ୧୯୩୬ ରେ ବୋଲି ଉତ୍କଳ ସମ୍ମିଳନୀ ଦ୍ବାରା ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ ତମ ଜୟନ୍ତୀ ସମାରୋହ ଅବସରରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉତ୍କଳ ଆଶ୍ରମ ମୁକ୍ତ ମଂଚରେ ଉତ୍କଳ ସମ୍ମିଳନୀ ଦ୍ବାରା ଆୟୋଜିତ ମହେନ୍ଦ୍ର କଳା ସାହିତ୍ୟ ସଂସଦର ସାଂସ୍କୃତିକ ଅନୁଷ୍ଠାନ ଅନ୍ବଷା କଳାକେନ୍ଦ୍ର ଆନୁକୁଲ୍ୟରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଉତ୍କଳ ସମ୍ମିଳନୀ ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଲିକୋଟ ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗ ଅତିଥି ପ୍ରଫେସର ଡକ୍ଟର ରାଜେନ୍ଦ୍ର କୁମାର ବିଷୋୟୀ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରି କୃଷ୍ଣ ପଣ୍ଡା ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ଅନ୍ବଷା କଳାକେନ୍ଦ୍ର ପ୍ରତିଷ୍ଠାତ୍ରୀ ସମ୍ପାଦିକା ଉଷାରାଣୀ ମହାପାତ୍ର, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି କିନ୍ନର ସଂଘ ରାଜ୍ୟ ସଭାନେତ୍ରୀ ସୁଇଟି ସାହୁ ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ସମାରୋହ ଉଦଘାଟନ କରିଥିଲେ।
ପ୍ରାରମ୍ଭରେ କଳାକେନ୍ଦ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା।ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର ସାଂସ୍କୃତିକ ବିଚିତ୍ରା ଉଠରେ ଉଠରେ ଉତ୍କଳ ସନ୍ତାନ ରେ ଅଂଶଗ୍ରହଣ କରି ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଂଚଳ ବିଶେଷକରି ଗୋପାଳପୁର,ଆସ୍କା, ଛତ୍ରପୁର ଓ ନବୀନ ଜୀବନ ସେବାଶ୍ରମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ସଂଧ୍ୟାରେ ବର୍ଷା ସତ୍ତ୍ୱେ ଶତାଧିକ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ଉପସ୍ଥିତ ରେ ପରିବେଶ ସଂଗୀତମୟ ହୋଇ ଉଠିଥିଲା। ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ପ୍ରଦାନ କରି କାର୍ଯକ୍ରମ ପରିଚାଳନା କରିଥିଲେ।
ଅନୁଷ୍ଠିତ ଜୟନ୍ତୀ ସମାରୋହ ଅବସରରେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ସମାଜସେବୀ ମନୀଷା ସାମନ୍ତରାୟ ଏବଂ ଶ୍ରୀମତୀ ନଳିନୀ ସାହୁ, ସାମ୍ବାଦିକ ଅମର ସାହୁ ଙ୍କୁ ଉପଢୌକନ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ବଷା କଳାକେନ୍ଦ୍ର ସମସ୍ତ କର୍ମକର୍ତ୍ତା ସହଯୋଗ କରିବା ଥିବା ବେଳେ ଉପସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ ଜୟନ୍ତୀ ସମାରୋହ ଅବସରରେ ସକାଳ ଆଠ ଘଣ୍ଟା ସମୟରେ ଉତ୍କଳ ସମ୍ମିଳନୀ ତରଫରୁ ଗାନ୍ଧୀ ନଗର ଛକ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏହି ଅବସରରେ ସମ୍ମିଳନୀ ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ବିଷୋୟୀ, ଡାକ୍ତର ସାଗର ରଂଜନ ତ୍ରିପାଠୀ, କିରଣ କୁମାର ଦୋରା, ଗୌରୀଶଙ୍କର ପଟ୍ଟନାୟକ, ମହମ୍ମଦ ଆସଲାମ, ପ୍ରମୁଖ ଙ୍କ ସମେତ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା, ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ସ୍ମୃତି ଚାରଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ