ସୁରକ୍ଷିତ ପ୍ରବାସ ବିଷୟରେ ଜନସଚେତନତା ବୃଦ୍ଧି ପାଇଁ ବାଇକ ରେଲୀ
ବଲାଙ୍ଗିର, 01 ମେ (ହି.ସ.) ଶ୍ରମିକ ଚାଲାଣକୁ ରୋକିବା ସହିତ ଶ୍ରମିକମାନେ ଦାଦନ କିମ୍ବା ବନ୍ଧକ ଶ୍ରମିକ ହେବାରୁ କିପରି ବର୍ତ୍ତିବେ ସେ ନେଇ ସଚେତନତା ସୃଷ୍ଟି ପାଇଁ ବଲାଙ୍ଗୀର ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ ରାଲି ଆୟୋଜନ କରାଯାଇଥିଲା । ସୁରକ୍ଷିତ ପ୍ରବାସ (ସେଫ ମାଇଗ୍ରେସନ) ବି
ସୁରକ୍ଷିତ ପ୍ରବାସ  ବିଷୟରେ ଜନସଚେତନତା ବୃଦ୍ଧି ପାଇଁ ବାଇକ ରେଲୀ


ବଲାଙ୍ଗିର, 01 ମେ (ହି.ସ.)

ଶ୍ରମିକ ଚାଲାଣକୁ ରୋକିବା ସହିତ ଶ୍ରମିକମାନେ ଦାଦନ କିମ୍ବା ବନ୍ଧକ ଶ୍ରମିକ ହେବାରୁ କିପରି ବର୍ତ୍ତିବେ ସେ ନେଇ ସଚେତନତା ସୃଷ୍ଟି ପାଇଁ ବଲାଙ୍ଗୀର ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ ରାଲି ଆୟୋଜନ କରାଯାଇଥିଲା । ସୁରକ୍ଷିତ ପ୍ରବାସ (ସେଫ ମାଇଗ୍ରେସନ) ବିଷୟରେ ଜନସଚେତନତା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଆୟୋଜିତ ଏହି ରାଲିକୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ଫ୍ଲାଗ୍ଅଫ୍ କରିଥିଲେ । ବଲାଙ୍ଗୀର ସହର ସହିତ ଖପ୍ରାଖୋଲ, ବେଲପଡା, ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ପରି ସଂବେଦନଶୀଳ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ପୋଲିସ କର୍ମଚାରୀ ବାଇକ ରାଲିରେ ଅଂଶଗ୍ରହଣ କରିଥିଲେ।

ପୋଲିସ ଅଧିକାରୀମାନେ ଲୋକଙ୍କୁ ସଚେତନ କରିଥିଲେ ଯେ, ଯେଉଁମାନେ ଅଗ୍ରିମ ଟଙ୍କା ନେଇ ମିଥ୍ୟା କର୍ମଯୋଗାଣର ପ୍ରତିଶ୍ରୁତି ଦେଇଥାନ୍ତି ସେମାନଙ୍କୁ ନେଇ ସତର୍କ ରହିବା ଆବଶ୍ୟକ। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଶ୍ରମିକ ଚାଲାଣ ପ୍ରାୟତଃ ଏଭଳି ମିଥ୍ୟା ପ୍ରତିଶ୍ରୁତି ଓ ଅଗ୍ରିମ ଟଙ୍କାରୁ ଆରମ୍ଭ ହୁଏ, ଯାହା ପରେ ଶୋଷଣ, ଗତିଶୀଳତାର ନିୟନ୍ତ୍ରଣ ଓ ନିର୍ଯାତନା ମାଧ୍ୟମରେ ଶ୍ରମିକମାନେ ଦାଦନ କିମ୍ବା ବନ୍ଧକ ଶ୍ରମିକରେ ପରିଣତ ହୋଇପାରନ୍ତି। ପ୍ରବାସ ପୂର୍ବରୁ କର୍ମଯୋଗାଣ ସମ୍ପର୍କିତ ସମସ୍ତ ତଥ୍ୟ ଯାଞ୍ଚ କରିବା ଓ ସନ୍ଦେହଜନକ କାର୍ଯ୍ୟକଳାପ ଦୃଷ୍ଟିରେ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ଜଣାଇବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ଜନସଚେତନତା ଅଭିଯାନ ସହିତ, ଜିଲ୍ଲା ପୋଲିସ ପକ୍ଷରୁ ଅବୈଧ ଭାବେ ଶ୍ରମିକ ଚାଲାଣ ଓ ନିଯୁକ୍ତିରେ ଜଡିତ ଏଜେଣ୍ଟ ଓ ଦାଦନ ସରର୍ଦ୍ଧାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାକୁ ରୋକିବା ପାଇଁ ବିଭିନ୍ନ ସମୟରେ ଚଢାଉ ଓ ପ୍ରତିରୋଧମୂଳକ ପଦକ୍ଷେପ ଆହୁରି ଜୋରଦାର କରାଯାଉଛି। ଏହି ପଦକ୍ଷେପ ଜିଲ୍ଲା ପୋଲିସର ଅବିରତ ପ୍ରୟାସର ଅଂଶ, ଯାହା ମାଧ୍ୟମରେ ଶ୍ରମିକ ଚାଲାଣ ଓ ବନ୍ଧକ ଶ୍ରମିକ ପ୍ରଥାକୁ ରୋକିବା ପାଇଁ କଡା ଆଇନ ଅମଳ ସହିତ ସମୁଦାୟ ସଚେତନତାକୁ ଏକତ୍ର କରାଯାଉଛି । ଶ୍ରମିକ ଚାଲାଣକୁ ରୋକିବା ପାଇଁ ସମୁହିକ ପ୍ରୟାସ ଆବଶ୍ୟକ। ନାଗରିକ, ଯୁବପିଢି, ସ୍ଥାନୀୟ ଜନପ୍ରତିନିଧି ଓ ସଂସ୍ଥାମାନଙ୍କ ସହଯୋଗ ଦରକାର। ବଲାଙ୍ଗୀରର ଯୁବମାନଙ୍କୁ ମୁଁ ଆହ୍ୱାନ କରୁଛି ଯେ ସେମାନେ ସକ୍ରିୟ ସହଭାଗୀ ହୋଇ ସହଯୋଗ କରନ୍ତୁ । ସମୁଦାୟ ସ୍ତରର ସଚେତନତା ହେଉଛି ଆମର ସବୁଠାରୁ ଶକ୍ତିଶାଳୀ ରକ୍ଷା । ସନ୍ଦେହଜନକ ନିଯୁକ୍ତି କିମ୍ବା ଶ୍ରମିକ ଗତିବିଧି ଦେଖିଲେ ପୋଲିସ, ସ୍ଥାନୀୟ ଜନପ୍ରତିନିଧି କିମ୍ବା ବିଶ୍ୱସନୀୟ ସଂଗଠନକୁ ତୁରନ୍ତ ଜଣାନ୍ତୁ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ କହିଛନ୍ତି ।

ଉଲ୍ଲେଖନୀୟ ଯେ, ୨୦୨୦ ରୁ ୨୦୨୫ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ଶ୍ରମିକ ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ବହୁତ ବୃଦ୍ଧି ପାଇଛି। ୪୦୦ ରୁ ଅଧିକ ମାମଲା ପଞ୍ଜୀକରଣ ହୋଇଥିବାବେଳେ ୪,୨୦୦ ରୁ ଅଧିକ ଦାଦନ ଶ୍ରମିକଙ୍କୁ ଶୋଷଣମୂଳକ ପରିସ୍ଥିତିରୁ ଉଦ୍ଧାର କରାଯାଇଛି। ବେଲପଡା, ଖପ୍ରାଖୋଲ ଓ ଲାଥୋର ପରି କିଛି ଅଞ୍ଚଳକୁ ଅତ୍ୟଧିକ ଦାଦନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ଏବଂ ସେଠାରେ ବିଶେଷ ହସ୍ତକ୍ଷେପ କରାଯାଉଛି। ଅଧିକାଂଶ ମାମଲାରେ ୧୦-୨୦ ଜଣ ଶ୍ରମିକ ଦଳବଦ୍ଧ ଭାବେ ଚାଲାଣ ହେଉଥିବାରୁ ସଂଗଠିତ ଓ ନେଟୱର୍କ ଆଧାରିତ ଶୋଷଣ ପ୍ରକାଶ ପାଉଛି। ଅଧିକାଂଶ ମାମଲା ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୪ (ବାଧ୍ୟତାମୂଳକ ଶ୍ରମ) ଅଧୀନରେ ପଞ୍ଜୀକରଣ ହୋଇଛି।

ଦାଦନ ଶ୍ରମିକମାନେ ପ୍ରାୟତଃ ଦାଦନ ସର୍ଦ୍ଧାରଙ୍କ ମାଧ୍ୟମରେ ଦଳବଦ୍ଧ ଭାବେ ନିର୍ମାଣ, ଇଟା ଭାଟି, ଚିଙ୍ଗୁଡ଼ି ଚାଷ ଓ କୃଷି କ୍ଷେତ୍ରକୁ ପଠାଯାଉଛନ୍ତି। ଏହାର ପ୍ରତିଉତ୍ତରରେ, ଜିଲ୍ଲା ପୋଲିସ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ସମନ୍ୱୟ ବଢ଼ାଇବା, ଦାଦନ ଚାଲାଣ ଋତୁରେ ନଜର ରଖିବା, ଟ୍ରାନ୍ଜିଟ ପଏଣ୍ଟ ଓ ନିଯୁକ୍ତି କେନ୍ଦ୍ରରେ ଧ୍ୟାନ ଦେବା, ଏବଂ ସ୍ଥାନୀୟ ସୂଚନାକୁ ବ୍ୟବହାର କରି ପୂର୍ବରୁ ଚିହ୍ନଟ ପଦକ୍ଷେପ ଗ୍ରହଣ କରିବା ଉପରେ ଜୋର ଦେଉଛି। ଉଦ୍ଧାର କାର୍ଯ୍ୟ ବୃଦ୍ଧି ପାଇଥିଲେ ମଧ୍ୟ, ବର୍ତ୍ତମାନ ତଦନ୍ତ ଓ ଅଭିଯୋଗ ପ୍ରକ୍ରିୟାକୁ ଆହୁରି ସଶକ୍ତ କରାଯାଉଛି। ତ୍ୱରିତ ଏଫଆଇଆର ପଞ୍ଜୀକରଣ, ଦ୍ରୁତ ଗିରଫ ଏବଂ ସମୟୋପଯୋଗୀ ଚାର୍ଜଶିଟ ଦାଖଲକୁ ନିଶ୍ଚିତ କରିବା ପ୍ରତି ପୋଲିସ ପ୍ରତିବଦ୍ଧ ଅଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande