
ବୌଦ୍ଧ, 01 ମେ (ହି.ସ.) ବୁଦ୍ଧ ମୟ ହୋଇଉଠିଲା ବୌଦ୍ଧ ଜିଲା l ବୁଦ୍ଧ ପୁର୍ଣ୍ଣିମାରେ ଆଜି ଜିଲା ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି l ଆଜି ପବିତ୍ର ବୁଦ୍ଧ ପୁର୍ଣ୍ଣିମା । ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲା । ଭଗବାନ ବୁଦ୍ଧଙ୍କ ଜୟନ୍ତୀ ଅବସରରେ ସମଗ୍ର ଜିଲା ବୁଦ୍ଧ ମୟ ହୋଇ ଉଠିଛି । ବିଭିନ୍ନ ସଂଗଠନ ଓ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଆଜି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବୌଦ୍ଧର ପବିତ୍ର ମାଟିରେ ମହାନଦୀ କୂଳରେ ଅନେକ ପ୍ରାଚୀନ ବୌଦ୍ଧ କିର୍ତ୍ତିରାଜୀ ମାନ ଶୋଭା ପାଉଛି । ଜିଲାରେ ଥିବା ତିନୋଟି ବୌଦ୍ଧ ପୀଠ , ବୌଦ୍ଧ ସହରର ବୁଦ୍ଧ ବିହାର, ରାମଗଡ ପଞ୍ଚାୟତର ପ୍ରଗଳପୁର ଓ ସାମ୍ପୋଚ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଠାରେ ଉତ୍ସବ ମାନ ଆୟୋଜିତ ହୋଇଛି । ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ସକାଳୁ ଐତିହାସିକ ବୁଦ୍ଧ ମନ୍ଦିରରେ ପୂଜା ଅର୍ଚନା କରାଯାଇଛି l ଭଗବାନ ବୁଦ୍ଧ ପୂର୍ଣ୍ଣିମା ଦିନକୁ ବୌଦ୍ଧବାସୀ ମହାଆଡମ୍ବରରେ ଘରେ ଘରେ ପିଠା ପଣା କରି ପାଳନ କରିଛନ୍ତି । ଏହାସହ ମାଧପୁର , ମନମୁଣ୍ଡା ,ବୌଦ୍ଧ ସହରର ବାଘଗୁଡା ଛକ, ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଏନଏସି କାର୍ଯ୍ୟାଳୟ ମଧ୍ୟରେ ଭାଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଠାରେ ପୂଜା ଅର୍ଚନା କରାଯାଇଛି l ମଥୁରା ପଂଚାୟତ କେଳାକଟା ଭୀମ ପାହାଡ଼ ଠାରେ ଭଗବାନ ତଥାଗତ ଗୌତମ ବୁଦ୍ଧ ଶାନ୍ତି ପରିଷଦ ତରଫରୁ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ବୌଦ୍ଧ ମହାନଦୀ ଆଳତିଘାଟ ଠାରେ ସାମୁହିକ ଆଳତି କରାଯାଇଥିଲା l ଏକ ଶୋଭାଯାତ୍ରା ମହାନଦୀ ଆଳତିଘାଟ ଠାରୁ ବାହାରି ସହର ପରିକ୍ରମା କରିବା ପରେ ଐତିହାସିକ ବୁଦ୍ଧ ମନ୍ଦିର ଠାରେ ପହଞ୍ଚିଥିଲା l ସେଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ବୁଦ୍ଧ ଜୟନ୍ତୀ କମିଟି ଆବାହକ ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ