
ଚେନ୍ନାଇ, ୧୦ ମଇ (ହି.ସ.)— ତାମିଲନାଡୁର ରାଜନୀତିରେ ଏକ ନୂତନ ଅଧ୍ୟାୟର ଆରମ୍ଭ ମଧ୍ୟରେ ଶୋଲାଭନ୍ଦନ ଆସନରୁ ଟିଭିକେ ବିଧାୟକ ଏମ୍.ଭି. କରୁପ୍ପାୟାଙ୍କୁ ବିଧାନସଭାର ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରାଯାଇଛି। ରବିବାର ରାଜଭବନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଧ୍ୟ ଉପସ୍ଥିତ ଥିଲେ।
ବିଜୟ ରବିବାର ତାମିଳନାଡୁର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୬ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ଚମତ୍କାର ପ୍ରଦର୍ଶନ କରି ୧୦୮ଟି ଆସନରେ ବିଜୟୀ ହୋଇ ରାଜ୍ୟର ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି।
ତାମିସନାଡୁ ବିଧାନସଭା ସଚିବାଳୟ ସୂଚନା ଅନୁଯାୟୀ, ୧୭ତମ ବିଧାନସଭାର ପ୍ରଥମ ବିଶେଷ ଅଧିବେଶନ ସୋମବାର ସକାଳ ୯ଟା ୩୦ରେ ଆୟୋଜିତ ହେବ। ଏହି ଅଧିବେଶନରେ ସମସ୍ତ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଯିବ। ପ୍ରୋଟେମ୍ ସ୍ପିକର ଭାବେ ଏମ୍.ଭି. କରୁପ୍ପାୟା ବିଧାୟକମାନଙ୍କୁ ଶପଥ ପାଠ କରାଇବେ । ଏହାପରେ ୧୨ ମଇରେ ବିଧାନସଭା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ