
ନୂଆଦିଲ୍ଲୀ, ୧୧ ମଇ(ହି.ସ.) – କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଶ୍ରମ ସଂହିତା ଅଧିସୂଚିତ ହେବାପରେ ଏହି ପ୍ରସଙ୍ଗରେ ରାଜନୈତିକ ବିତର୍କ ତୀବ୍ର ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ଶ୍ରମ ସଂହିତାକୁ ଶ୍ରମିକ ବିରୋଧୀ ବୋଲି କହିଛନ୍ତି ଏବଂ ସରକାର ଶ୍ରମ ଅଧିକାରକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛନ୍ତି।
ସୋମବାର ଦିନ ଏକ ବିବୃତିରେ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ସରକାର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ଏହି ବ୍ୟବସ୍ଥାଗୁଡ଼ିକ ନିଯୁକ୍ତି ଏବଂ ଅବସର’ ଧାରାକୁ ପ୍ରୋତ୍ସାହିତ କରିପାରିବ ଏବଂ କୋଟି କୋଟି ଶ୍ରମିକଙ୍କ ଚାକିରି ସୁରକ୍ଷାକୁ ପ୍ରଭାବିତ କରିପାରିବ।
ମଜୁରୀ ସଂହିତା ୨୦୧୯ ଉପରେ ଆପତି ଉଠାଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ମୌଳିକ ବେତନକୁ ମୋଟ ବେତନର ୫୦ ପ୍ରତିଶତରେ ବାଧ୍ୟତାମୂଳକ କରିବା କର୍ମଚାରୀଙ୍କ ହାତରେ ଥିବା ଅର୍ଥ ପରିମାଣକୁ ପ୍ରଭାବିତ କରିପାରେ। ବୃତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ଅବସ୍ଥା ସଂହିତା ୨୦୨୦ ଉପରେ କଂଗ୍ରେସ ଅଭିଯୋଗ କରିଛି ଯେ ସୁରକ୍ଷା ଉଲ୍ଲଂଘନକୁ ଅପରାଧମୁକ୍ତ କରିବା ଶ୍ରମ ସ୍ୱାର୍ଥକୁ କ୍ଷତି ପହଂଚାଇପାରେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି