
ନୂଆଦିଲ୍ଲୀ, ୧୨ ମଇ (ହି.ସ.)- ସେସେଲ୍ସ ପ୍ରଶାସନିକ କର୍ମଚାରୀଙ୍କୁ ସୁଶାସନ, ନୀତି ନିର୍ଦ୍ଧାରଣ, ବୈଷୟିକ ନବସୃଜନ ଏବଂ ନ୍ୟାୟିକ ସଂସ୍କାର ଭଳି ବିଷୟ ଉପରେ ତାଲିମ ଦେବା ନିମନ୍ତେ ମସୁରୀ ସ୍ଥିତ ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ର (ଏନସିଜିଜି)ରେ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରତିରକ୍ଷା, ଅର୍ଥ, ଶିକ୍ଷା, ନ୍ୟାୟପାଳିକା ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମେତ ୨୯ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ କହିଛି ଯେ, ଦୁଇ ସପ୍ତାହର ତାଲିମ କାର୍ଯ୍ୟକ୍ରମ ମସୁରୀ ଏବଂ ନୂଆଦିଲ୍ଲୀରେ ମଇ୧୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଫେବୃଆରୀରେ ଭାରତ ଏବଂ ସେସେଲ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ରାଜିନାମା ଅନୁଯାୟୀ, ତିନି ବର୍ଷ ମଧ୍ୟରେ ୨୫୦ ଜଣ ପ୍ରଶାସନିକ କର୍ମଚାରୀଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି । ଉଦ୍ଘାଟନୀ ଅଧିବେଶନରେ ଏନ. ସି. ଜି. ଜି. ର ମହାନିର୍ଦ୍ଦେଶକ ଡଃ. ସୁରେନ୍ଦ୍ର କୁମାର ବାଗଡ଼େ ଅଧ୍ୟକ୍ଷତା କରିଥିଲେ । ସେ କହିଥିଲେ ଯେ, ଏହି ପାଠ୍ୟକ୍ରମ ଅଧିକାରୀମାନଙ୍କ ବୃତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଉଚ୍ଚ ପ୍ରଭାବ ଥିବା ଜାତୀୟ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବାର କ୍ଷମତା ପ୍ରଦାନ କରିବା ।
ପ୍ରତିନିଧିମଣ୍ଡଳର ମୁଖ୍ୟ ଆଲେକ୍ସ ହେଣ୍ଡରସନ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ କହିଥିଲେ ଯେ, ଏହି ପ୍ରଶିକ୍ଷଣ କେବଳ କ୍ଷମତା ନିର୍ମାଣକୁ ବୃଦ୍ଧି କରିବ ନାହିଁ, ବରଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିବ । ଏହି କାର୍ଯ୍ୟକ୍ରମ ଭାରତ ଏବଂ ସେସେଲ୍ସ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ଗଭୀର କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ