
ନୂଆଦିଲ୍ଲୀ, ୧୨ ମଇ (ହି.ସ.)- ଜାତୀୟ ପରୀକ୍ଷା ଏଜେନ୍ସି (ଏନ.ଟି.ଏ.) ଏନ.ଇଇଟି.-ୟୁ. ଜି. ୨୦୨୬ ପରୀକ୍ଷାକୁ ବାତିଲ୍ କରି ପୁନର୍ବାର ପରୀକ୍ଷା କରିବାକୁ ନିଷ୍ପତି ନେଇଛି । ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଆଧାରରେ ଏଜେନ୍ସି ଏହି ନିଷ୍ପତି ନେଇଛି । ଏଥିସହ, କେନ୍ଦ୍ର ସରକାର ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିଛନ୍ତି ।
ମଙ୍ଗଳବାର ଦିନ ଏକ ବିବୃତିରେ ଏନ୍. ଟି. ଏ. କହିଛି ଯେ ଏନ.ଇଇଟି.-ୟୁ. ଜି. ୨୦୨୬ ପରୀକ୍ଷାର ପ୍ରକ୍ରିୟା ବର୍ତମାନର ପରିସ୍ଥିତିରେ ସ୍ଥାୟୀ ହୋଇପାରିବ ନାହିଁ । ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନିରପେକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପରୀକ୍ଷାକୁ ବାତିଲ୍ ଏବଂ ପୁନର୍ବାର ଆୟୋଜନ କରିବାର ନିଷ୍ପତି ନିଆଯାଇଛି । ନୂତନ ପରୀକ୍ଷା ତାରିଖ ଏବଂ ପୁନଃ ଜାରି କରାଯାଇଥିବା ଆଡମିଟ୍ କାର୍ଡର କାର୍ଯ୍ୟସୂଚୀ ଶୀଘ୍ର ଅଫିସିଆଲ୍ ଚ୍ୟାନେଲ୍ ମାଧ୍ୟମରେ ଘୋଷଣା କରାଯିବ । କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଏବଂ ସୋସିଆଲ ମିଡ଼ିଆରେ ପ୍ରସାରିତ ଅପ୍ରମାଣିତ ଖବରକୁ ଏଡ଼ାଇବାକୁ ପରୀକ୍ଷାର୍ଥୀ ଏବଂ ଅଭିଭାବକ ମାନଙ୍କୁ ନିବେଦନ କରିଛି ।
ସରକାର ମାମଲାର ବିସ୍ତୃତ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତି ନେଇଛନ୍ତି ଏବଂ ଏନଟିଏ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଂଟ, ରେକର୍ଡ ଏବଂ ଅନୁସନ୍ଧାନକାରୀ ସଂସ୍ଥାକୁ ସହଯୋଗ ପ୍ରଦାନ କରିବ ବୋଲି ବିବୃତିରେ କୁହାଯାଇଛି ।
ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ମଇ ୨୦୨୬ ଚକ୍ରରେ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀଙ୍କ ତଥ୍ୟ, ପ୍ରାର୍ଥୀ ସ୍ଥିତି ଏବଂ ଚୟନ କରାଯାଇଥିବା ପରୀକ୍ଷା କେନ୍ଦ୍ର ଆଗାମୀ ପୁନଃ ପରୀକ୍ଷା ପାଇଁ ବୈଧ ହେବ । କୌଣସି ପୁନଃ ପଞ୍ଜିକରଣର ଆବଶ୍ୟକତା ପଡ଼ିବ ନାହିଁ ଏବଂ କୌଣସି ଅତିରିକ୍ତ ପରୀକ୍ଷା ଶୁଳ୍କ ଆଦାୟ କରାଯିବ ନାହିଁ ।
ଏଜେନ୍ସି କହିଛି ଯେ, ଛାତ୍ରମାନଙ୍କ ଦ୍ୱାରା ପୂର୍ବରୁ ଜମା କରାଯାଇଥିବା ପରୀକ୍ଷା ଶୁଳ୍କ ଫେରସ୍ତ କରାଯିବ ଏବଂ ଏହାର ଆଭ୍ୟନ୍ତରୀଣ ସମ୍ବଳ ମାଧ୍ୟମରେ ଏନଟିଏ ଦ୍ୱାରା ପୁନଃ ପରୀକ୍ଷା ପରିଚାଳିତ ହେବ ।
ଏନ୍. ଟି. ଏ. ସ୍ୱୀକାର କରିଛି ଯେ, ପୁନଃପରୀକ୍ଷା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପାଇଁ ଅସୁବିଧା ସୃଷ୍ଟି କରିବ, କିନ୍ତୁ ପରୀକ୍ଷା ବ୍ୟବସ୍ଥା ଉପରେ ବିଶ୍ୱାସ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ ଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ