
କାଠମାଣ୍ଡୁ, ୧୨ ମଇ (ହି.ସ.)। ନେପାଳର ପ୍ରସିଦ୍ଧ ମୁକ୍ତିନାଥ କ୍ଷେତ୍ରକୁ ଯାଉଥିବା ସଡ଼କରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହେବାରୁ ରାସ୍ତା ଅବରୋଧ ହୋଇଯାଇଛି। ଏହି କାରଣରୁ ମୁକ୍ତିନାଥକୁ ଯାଉଥିବା ଶ୍ରଦ୍ଧାଳୁମାନେ ମଧ୍ୟରାସ୍ତାରେ ଫସି ଯାଇଛନ୍ତି। ମୁକ୍ତିନାଥ ରାସ୍ତାରେ ମ୍ୟାଗ୍ଦୀ ଜିଲ୍ଲାର ଅନ୍ନପୂର୍ଣ୍ଣା ଅଞ୍ଚଳର ମହାଭୀରରେ ଭୂସ୍ଖଳନ ହେବା ପରେ ଆଜି ସକାଳରୁ ମୁସ୍ତାଙ୍ଗକୁ ଜାତୀୟ ରାଜପଥ ନେଟୱର୍କ ସହିତ ଯୋଡ଼ୁଥିବା ବେନୀ–ଜୋମସୋମ–କୋରଲା ସଡ଼କ ମାର୍ଗ ଅବରୋଧ ହୋଇଯାଇଛି। ଏହି ରାସ୍ତା ଦ୍ୱାରା ହିଁ ପ୍ରସିଦ୍ଧ ମୁକ୍ତିନାଥ କ୍ଷେତ୍ରକୁ ଲୋକେ ଯାଇଥାନ୍ତି ।
ପଥର ଓ କାଦୁଅରେ ଭରିଥିବା ଭୂସ୍ଖଳନ ହେତୁ ୭୬ କିଲୋମିଟର ଲମ୍ବା ବେନୀ–ଜୋମସୋମ ସଡ଼କ ଖଣ୍ଡରେ ସିଧାସଳଖ ଯାତାୟାତ ପ୍ରଭାବିତ ହୋଇଛି। ସଡ଼କ ଅବରୋଧ ହେବାରୁ ବେନୀରୁ ମୁସ୍ତାଙ୍ଗ ଏବଂ ଜୋମସୋମରୁ ବେନୀ ଦିଗକୁ ଯାଉଥିବା ଯାନବାହନ ମଧ୍ୟରାସ୍ତାରେ ଅଟକି ରହିଛି । ଏଥିରେ ଅଧିକାଂଶ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଅଛନ୍ତି, ଯେଉଁମାନେ ମୁକ୍ତିନାଥ ଦର୍ଶନ ପାଇଁ ଯାଉଥିଲେ।
ମୁସ୍ତାଙ୍ଗ ଜିଲ୍ଲା ପ୍ରହରୀ କାର୍ଯ୍ୟାଳୟର ପ୍ରବକ୍ତା ସାଗର ତିମିଲ୍ସିନା କହିଛନ୍ତି ଯେ, ସଡ଼କକୁ ପୁନର୍ବାର ଚଳାଚଳଯୋଗ୍ୟ କରିବା ପାଇଁ ସଡ଼କ ବିଭାଗର ଯନ୍ତ୍ରପାତି ବ୍ୟବହାର କରାଯାଇ ଉଦ୍ୟମ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା