
ଝାରସୁଗୁଡା, ୨ ମଇ (ହି.ସ.)- ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଝାରସୁଗୁଡା ଜିଲ୍ଲାସ୍ତରୀୟ ମଇ ଦିବସ ପାଳନ ସମାରୋହ ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡା ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ମଙ୍ଗଳ ସାହୁ, ବରଗଡ଼ ସାଂସଦଙ୍କ ପ୍ରତିନିଧି ସୁନୀଲ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ସୁନିତା ଲାକ୍ରା ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଦିବ୍ୟଜ୍ୟୋତି ନାୟକ ସଭା ପରିଚାଳନା କରି ମଇ ଦିବସର ଇତିହାସ ସହିତ ଶ୍ରମିକମାନଙ୍କ ପାଇଁ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଲଖନପୁର ଶ୍ରମ ଅଧିକାରୀ ତରୁଣ କୁମାର ମହାନ୍ତି ନୂଆ ଶ୍ରମିକ କୋଡ୍, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ସରକାରୀ ସୁବିଧା ବିଷୟରେ ସୂଚନା ଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଶ୍ରମ ବିଭାଗର ଯୋଜନାମାନଙ୍କୁ ଗ୍ରାମ ଓ ସହର ମାଧ୍ୟମରେ ପ୍ରତ୍ୟେକ ଶ୍ରମିକଙ୍କ ପାଖକୁ ପହଞ୍ଚାଇବା ପାଇଁ କ୍ୟାମ୍ପ ଆୟୋଜନର ଆବଶ୍ୟକତା ଉଲ୍ଲେଖ କରିଥିଲେ। ସେଥିପାଇଁ ସଚେତନତା ସୃଷ୍ଟି ଓ ପଞ୍ଜିକରଣ କାର୍ଯ୍ୟକୁ ଗତିଶୀଳ କରିବାକୁ ଆହ୍ୱାନ ଜଣାଇଥିଲେ।
ଅନ୍ୟ ଅତିଥିମାନେ ମଧ୍ୟ ଶ୍ରମିକମାନଙ୍କ ଅଧିକାର ସୁରକ୍ଷା, ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କତା ଓ ସରକାରୀ ଯୋଜନାର ସଦବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ୩୮୩ ଜଣ ଶ୍ରମିକଙ୍କୁ ସର୍ବମୋଟ ୨,୧୪,୫୧,୮୦୦ ଟଙ୍କା ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ମୃତ୍ୟୁ ସହାୟତା, ଅନ୍ତେଷ୍ଟି କ୍ରିୟା, ବିବାହ ସହାୟତା, ପ୍ରସବ ସହାୟତା ଓ ଶିକ୍ଷା ସହାୟତା ଅନ୍ତର୍ଭୁକ୍ତ ଅଛି। ଏହା ସହିତ ୫ ଜଣ ଅସଂଗଠିତ ଶ୍ରମିକଙ୍କୁ ୮ ଲକ୍ଷ ଟଙ୍କା ସହାୟତା ଦିଆଯାଇଥିଲା ଓ ୨୧ଟି ନୂଆ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।
ସମାରୋହରେ ଜିଲ୍ଲାର ବହୁ ଶ୍ରମିକ, ଶ୍ରମ ବିଭାଗର କର୍ମଚାରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ