
ଝାରସୁଗୁଡା, ୨ ମଇ (ହି.ସ.)- ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ) ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଅବସ୍ଥା, ବିଭିନ୍ନ ସରକାରୀ ଯୋଜନାର ରୂପାୟଣ ଓ ପ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ଶିଶୁ ମୃତ୍ୟୁ ହାର (ଆଇଏମଆର) ଓ ମାତୃ ମୃତ୍ୟୁ ହାର(ଏମଏମଆର) କମେଇବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇ ସମସ୍ତ ସିଡିପିଓଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ। ସେ କହିଥିଲେ ଯେ, ପ୍ରତ୍ୟେକ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସମୟୋପଯୋଗୀ ସ୍ୱାସ୍ଥ୍ୟ ସେବା ଓ ପୁଷ୍ଟିକର ଖାଦ୍ୟ ପହଞ୍ଚିବା ନିଶ୍ଚିତ କରିବା ଆବଶ୍ୟକ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସୁଚାରୁ ପରିଚାଳନା ପାଇଁ ‘ଫେସ୍ ରେକୋଗ୍ନିସନ ସିଷ୍ଟମ’ର ଶତ ପ୍ରତିଶତ କାର୍ଯ୍ୟକାରିତା ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଜୋର ଦିଆଯାଇଥିଲା। ଜିଲ୍ଲାରେ କୁପୋଷଣ ନିବାରଣ ପାଇଁ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ଲାଇକେରା ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ଶିଶୁଙ୍କୁ ପୁଷ୍ଟିକର ‘ମାଣ୍ଡିଆ ଲଡୁ’ ବଣ୍ଟନ କରାଯିବା ପ୍ରସ୍ତାବକୁ ଜିଲ୍ଲାପାଳ ଅନୁମୋଦନ କରିଥିଲେ।
ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମେତ ସମସ୍ତ ବ୍ଲକର ସିଡିପିଓମାନେ ଉପସ୍ଥିତ ରହି ନିଜ ଅଞ୍ଚଳର କାର୍ଯ୍ୟପ୍ରଗତି ରିପୋର୍ଟ ପ୍ରଦାନ କରିଥିଲେ। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଯୋଗାଣ ହେଉଥିବା ଛତୁଆର ଗୁଣଗତ ମାନ ଯାଞ୍ଚ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବୈଠକ ଶେଷରେ ମାତୃ ଓ ଶିଶୁ ସୁସ୍ଥତାକୁ ସର୍ବୋଚ୍ଚ ପ୍ରାଥମ୍ୟ ଦେଇ ସମସ୍ତ ଯୋଜନାକୁ କାର୍ଯ୍ୟକାରି ଭାବେ ଅମଲ କରିବା ପାଇଁ ଜିଲ୍ଲାପାଳ ପୁନରୁକ୍ତି କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ