
ଝାରସୁଗୁଡ଼ା, ୨ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ‘ଉଦିଆଁ ତାରା’ର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ ଗତ ମାସର ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ରିପୋର୍ଟ ପ୍ରଦାନ କରିଥିଲେ। ବୈଠକରେ ଗ୍ରହୀତ ମୁଖ୍ୟ ନିଷ୍ପତ୍ତି ଅନୁସାରେ, ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହ ଯୋଡ଼ି ରଖିବା ପାଇଁ ‘ହୋଲିଡେ ହୋମୱାର୍କ’ ବଣ୍ଟନ କରାଯାଇଛି। ସେହିପରି ଚାଟବୋଟ୍ ମାଧ୍ୟମରେ ଜିଲ୍ଲାବ୍ୟାପୀ ଡିଜିଟାଲ୍ ସମର ଲର୍ଣ୍ଣିଂ ପ୍ରୋଗ୍ରାମ୍ ଚାଲୁ ରହିଛି। ଇଂରାଜୀ ଶିକ୍ଷାକୁ ମଜବୁତ କରିବା ପାଇଁ ଇ-କଣ୍ଟେଣ୍ଟ ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯାଇଛି। ‘ପଠନ ପାର୍ବଣ’ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଲେଖା ଓ ପ୍ରବନ୍ଧ ସଂଗ୍ରହ କରି ପୁସ୍ତକ ରୂପେ ପ୍ରକାଶ କରାଯିବ। ‘ହାପି ଆୱାର୍ସ’ ଅଧୀନରେ ପାଠ୍ୟକ୍ରମ ପ୍ରସ୍ତୁତି କାମ ଖରା ଛୁଟି ଶେଷ ପୂର୍ବରୁ ସମାପ୍ତ କରିବାକୁ ନିର୍ଦ୍ଦେଶ ମିଳିଛି। ‘ସୁଦର୍ଶନ ଚକ୍ର’ ଅଭିଯାନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ଏବଂ ସ୍କୁଲ ଖୋଲିବା ପରେ ଏହାକୁ ଆରମ୍ଭ କରାଯିବ। ଏହା ସହିତ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ଓ ପାଣି ବୋତଲ ଯୋଗାଣ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ‘ପଞ୍ଚସଖା ଶିକ୍ଷା ସେତୁ’ ମାଧ୍ୟମରେ ସି ଏସ ଆର ପାଣ୍ଠି ବିନିଯୋଗ କରାଯିବାକୁ ସମ୍ମତି ମିଳିଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚୱାଣ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ ଏବଂ ଛାତ୍ରଛାତ୍ରୀ କେନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ