
ଭୁବନେଶ୍ୱର,02 ମଇ (ହି.ସ.) ଜ୍ଞାନ ଭୂମି ଭାବରେ ଓଡ଼ିଶା ଅନାଦି ଅନନ୍ତ କାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଆସିଛି, ଯେଉଁଠି କଳିଙ୍ଗ ଯୁଦ୍ଧ କେବଳ ଏକ ରକ୍ତାକ୍ତ ସଂଗ୍ରାମ ନଥିଲା, ବରଂ ଏହା ମାନବିକତାର ବିଜୟ ଓ ଶାନ୍ତିର ବାର୍ତ୍ତା ପ୍ରସାର କରିଥିଲା । ଶ୍ରୀଲଙ୍କା ଠାରୁ ଆରମ୍ଭ କରି ସାଉଥ୍-ଇଷ୍ଟ ଏସିଆ ପର୍ଯ୍ୟନ୍ତ ଯେଉଁ ଭାରତୀୟ ସଂସ୍କୃତିର ଛାପ ଦେଖିବା ପାଇଁ ମିଳୁଛି, ତା’ର ଆଦି କେନ୍ଦ୍ର ଆମ ଓଡ଼ିଶା ହିଁ ଥିଲା । ଓଡ଼ିଶାର ନୌ-ବାଣିଜ୍ୟ, କୃଷି, ମନ୍ଦିର କଳା, ସାହିତ୍ୟ, ସୁସଂସ୍କୃତି - ଏ ସବୁର ମୂଳ କାରଣ ସେ ସମୟର ଶିକ୍ଷା । ଓଡ଼ିଶା ଆରମ୍ଭରୁ ହିଁ ଶିକ୍ଷା ଅନୁରାଗୀ ଓ ଶିକ୍ଷା ଦ୍ୱାରା ଚାଳିତ ହେଉଥିବା ଗୋଟେ ଅଞ୍ଚଳ ଥିଲା । ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱରରେ ଓଡ଼ିଶାର ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ଜାତୀୟ ଶିକ୍ଷା ନୀତି -୨୦୨୦ର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ କର୍ମଶାଳା “ପ୍ରଜ୍ଞା ପ୍ରେରଣା”ର ଉଦଘାଟନୀ ସମାରୋହରେ ଯୋଗ ଦେଇ ସେ ଏହା କହିଛନ୍ତି ।
କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଦ ଏବଂ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ଶିକ୍ଷାବିତ ମାନେ ଯୋଗ ଦେଇଥିଲେ।
ସେ କହିଛନ୍ତି ଯେ, ସାରଳା ମହାଭାରତ, ଚଣ୍ଡୀ ପୁରାଣ ଓ ବିଲଙ୍କା ରାମାୟଣ ଭଳି କାଳଜୟୀ କୃତି ଏହାର ଜ୍ୱଳନ୍ତ ପ୍ରମାଣ । ସେହିପରି ପଠାଣି ସାମନ୍ତ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଫକୀର ମୋହନ ସେନାପତି ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ମନୀଷୀମାନେ ଓଡ଼ିଆ ଜାତି ଓ ସଭ୍ୟତାର ବୌଦ୍ଧିକ ଶ୍ରେଷ୍ଠତାର ପ୍ରତୀକ ଅଟନ୍ତି । ବୌଦ୍ଧ ଧର୍ମର ପ୍ରମୁଖ ଶାଖା 'ବଜ୍ରଯାନ'ର ପ୍ରଣେତା ଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ଏବଂ ଏହି ମାଟିରୁ ହିଁ ବଜ୍ରଯାନର ଉତ୍ପତ୍ତି ହୋଇ ହିମାଳୟ ସମେତ ତିବ୍ଦତ ଓ ଅରୁଣାଚଳ ପର୍ଯ୍ୟନ୍ତ ବ୍ୟାପିଥିଲା।
ସେ କହିଛନ୍ତି ଯେ, ତେଣୁ ଏହି ପବିତ୍ର ମାଟିର ପାଠ୍ୟକ୍ରମ ଓ ସଂସ୍କୃତି ଓଡ଼ିଶାର ନିଜସ୍ୱ ଆବଶ୍ୟକତାକୁ ଭିତ୍ତି କରି ପ୍ରସ୍ତୁତ ହେବା ଉଚିତ୍, ଯେଉଁଥିରେ ଆମର ୪୫୦ କିଲୋମିଟର ଲମ୍ବ ସୁଦୀର୍ଘ ବେଳାଭୂମି, ବିପୁଳ ଖଣିଜ ସମ୍ପଦ ଏବଂ ଆଧ୍ୟାତ୍ମିକ ସମ୍ଭାବନାକୁ ଶିକ୍ଷା ଓ ଅର୍ଥନୈତିକ ପ୍ରଗତି ସହ ଯୋଡ଼ାଯିବ । ବିଶ୍ୱବିଦ୍ୟାଳୟଗୁଡ଼ିକ 'ଭବନ ନିର୍ମାଣ'ରେ ସୀମିତ ନ ରହି, ଉନ୍ନତ ଚିନ୍ତାଧାରା ଓ ନବୋନ୍ମେଷ ବା 'ଭାବନା ନିର୍ମାଣ' ଉପରେ ଗୁରୁତ୍ୱ ଦେବା ଆବଶ୍ୟକ, ଯାହା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟକୁ ସଫଳ କରିବ ।
ସେ କହିଛନ୍ତି ଯେ ଆମର ଶିକ୍ଷା ବ୍ୟବସ୍ଥାରେ ସ୍ଥାନୀୟ ଇତିହାସ, ଗାଁ ମନ୍ଦିର ଏବଂ ଓଡ଼ିଶାର ଅଜ୍ଞାତ ନାୟକମାନଙ୍କ ବୀରତ୍ୱ ଗାଥାକୁ ସାମିଲ କରି ଛାତ୍ରଛାତ୍ରୀଙ୍କୁ ନିଜ ମାଟିର ଗୌରବ ବିଷୟରେ ଅବଗତ କରାଇବା ଅତ୍ୟନ୍ତ ଜରୁରୀ । ସନ୍ଥ କବି ଭୀମ ଭୋଇ, ଗୋପବନ୍ଧୁ ଦାସ ଏବଂ ପଠାଣି ସାମନ୍ତଙ୍କ ଭଳି ମହାପୁରୁଷଙ୍କ ଦର୍ଶନ ଓ ବୈଜ୍ଞାନିକ ଜ୍ଞାନକୁ ପାଠ୍ୟକ୍ରମରେ ଗୁରୁତ୍ୱ ଦେବା ସହ ପଠାଣି ସାମନ୍ତଙ୍କ ଆଷ୍ଟ୍ରୋଫିଜିକ୍ସ ଓ ଆଷ୍ଟ୍ରୋନୋମି ଜ୍ଞାନକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆମକୁ ଉଦ୍ୟମ କରିବାକୁ ହେବ । କୋରାପୁଟର ଧାନ ଚାଷର କଥା ଓ ସମ୍ବଲପୁର ଭୀମ ମଣ୍ଡଳୀର ପୁରାତନ ‘ରକ୍ ଆର୍ଟ୍’ ଭଳି ଓଡ଼ିଶାର ଗୌରବମୟ ତଥ୍ୟକୁ ଆଧାର କରି ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା