
ଭବାନୀପାଟଣା, ୨୧ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟlଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଅଛି l ଏହି ବୈଠକରେ ଜିଲ୍ଲା ପରିଷଦ, କଳାହାଣ୍ଡିର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ସୌମ୍ୟ ରଞ୍ଜନ ପ୍ରଧାନ, ଉପ-ଜିଲ୍ଲାପାଳ ଧର୍ମଗଡ ସୁଶ୍ରୀ ପ୍ରେକ୍ଷା ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀ ସହରାଞ୍ଚଳ ସଂସ୍ଥା ପ୍ରମୁଖ ଉପସ୍ଥିତ ଥିଲେ l ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦେକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ ମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଅତିରକ୍ତ ଜିଲ୍ଲାପାଳ (ରାଜସ୍ଵ) ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ପ୍ରାକ୍ ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବୈଠକରେ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ l ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଳିଆ ଅଞ୍ଚଳ ଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ପାଣି ଜମି ରହୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା, ବର୍ଷା ପୂର୍ବରୁ ସମସ୍ତ ନାଳ ଗୁଡିକୁ ସଫା କରିବା, ସହରାଞ୍ଚଳ ଅନ୍ତର୍ଗତ ନାଳନର୍ଦ୍ଦମା ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଜଳ ଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ସମୟ ବ୍ୟବଧାନରେ ସମସ୍ତ ନଳକୂପ, ପାଇପ ଜଳ ଯୋଗାଣ ଇତ୍ୟାଦିକୁ ବିଶୁଦ୍ଧକରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା l ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଲୟ ଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ହାଲୋଜେନ ବଟିକା, ବ୍ଲିଚିଂପାଉଡ଼ର, ସର୍ପ ବିଷ ପ୍ରତିଷେଧକ ଇତ୍ୟାଦି ମହଜୁଦ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦେକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥଲେ l ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟାପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ l ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା :- ଚୂଡା, ଚାଉଳ, କିରାସିନ, ଦିଆସିଲ, ମହମବତୀ ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ମହଜୁଦ ରଖିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ସହରାଞ୍ଚଳ ଅନ୍ତର୍ଗତ ସମସ୍ତ ୱାର୍ଡ ଓ ବସ୍ତିରେ ଯଥା ଶୀଘ୍ର ସଫେଇ କରିବାକୁ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ l ଏତଦ୍ ବ୍ୟତୀତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବୈଠକ ଶେଷରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଲେଖ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ