
ନୂଆଦିଲ୍ଲୀ, ୨୨ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି ଯେ, ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍. ଟି. ଏ.) ରୁ ନୂତନ ସମ୍ଭାବନା ସୃଷ୍ଟି ହୋଇଛି ଏବଂ ଉଭୟ ଦେଶ ଆଗାମୀ ପାଂଚ ବର୍ଷ ମଧ୍ୟରେ ସାଇପ୍ରସ୍ ଠାରୁ ଭାରତକୁ ପୁଞ୍ଜି ନିବେଶକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବେ ।
ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଉଲିଡ୍ସଙ୍କ ସହ ଆଲୋଚନା ପରେ ଏକ ମିଳିତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଭାରତ ଏବଂ ସାଇପ୍ରସ୍ ସେମାନଙ୍କର ବିଶ୍ୱସନୀୟ ସମ୍ପର୍କକୁ ଏକ ରଣନୈତିକ ଭାଗିଦାରୀ ସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତି ନେଇଛନ୍ତି, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଗତି ଏବଂ ଏକ ନୂତନ ଦିଗ ଦେବ ।
ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବନ୍ଧୁତ୍ୱ ସୁଦୃଢ଼ ଏବଂ ଭବିଷ୍ୟତ-ଭିତିକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗଣତନ୍ତ୍ର, ଆଇନର ଶାସନ ଏବଂ ସମସ୍ତ ଦେଶର ସାର୍ବଭୌମତ୍ୱ ତଥା ଆଂଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଭଳି ସହଭାଗୀ ମୂଲ୍ୟବୋଧ ହେଉଛି ଦୁଇ ଦେଶ ମଧ୍ୟରେ ଭାଗିଦାରୀର ମୂଳଦୁଆ । ସେ କହିଥିଲେ ଯେ ଭାରତ ଏହି ନୀତିଗୁଡ଼ିକ ପ୍ରତି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଏବଂ ଏହା ଜାରି ରହିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ସାଇପ୍ରସରୁ ଭାରତକୁ ନିବେଶ ପ୍ରାୟ ଦ୍ୱିଗୁଣିତ ହୋଇଛି, ଯାହା ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ବିଶ୍ୱାସର ପ୍ରତୀକ । ସେ କହିଥିଲେ ଯେ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ନୂଆ ଆର୍ôଥକ ସୁଯୋଗ ସୃଷ୍ଟି କରିଛି ଏବଂ ଏହି ସୁଯୋଗର ଲାଭ ଉଠାଇ ଉଭୟ ଦେଶ ଆଗାମୀ ପାଂଚ ବର୍ଷ ମଧ୍ୟରେ ନିବେଶକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ