
ନୂଆଦିଲ୍ଲୀ, ୨୨ ମଇ (ହି.ସ.)- ନିର୍ବାଚନ ଆୟୋଗ ଜୁନ୍-ଜୁଲାଇରେ ଅବସର ନେଉଥିବା ରାଜ୍ୟସଭା ସଦସ୍ୟଙ୍କ ୨୪ଟି ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଏବଂ ମହାରାଷ୍ଟ୍ର ଓ ତାମିଲନାଡ଼ୁର ଦୁଇଟି ଖାଲି ଥିବା ଆସନରେ ଉପ-ନିର୍ବାଚନ ଘୋଷଣା କରିଛନ୍ତି । ସମସ୍ତ ଆସନ ପାଇଁ ମତଦାନ ଜୁନ୍ ୧୮ ରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ଫଳାଫଳ ପ୍ରକାଶ ପାଇବ ।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନଗୁଡ଼ିକରେ ବର୍ତମାନର ସଦସ୍ୟମାନଙ୍କ କାର୍ଯ୍ୟକାଳ ଜୁନ୍ ଏବଂ ଜୁଲାଇରେ ସମାପ୍ତ ହେବାକୁ ଯାଉଛି । ଏହା ବ୍ୟତୀତ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରୁ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ଖାଲି ଥିବାରୁ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ।
ମଇ ୬ ତାରିଖରେ ସୁନେତ୍ରା ଅଜିତ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ଆସନ ଏବଂ ମଇ ୭ ରେ ସି. ବି. ଶାନମୁଗମଙ୍କ ଇସ୍ତଫା ପରେ ତାମିଲନାଡ଼ୁ ଆସନ ଖାଲି ପଡ଼ିଥିଲା । ଦୁଇଟି ଆସନର ଅବଧି ଯଥାକ୍ରମେ ଜୁଲାଇ ୪ ୨୦୨୮ ଏବଂ ୨୯ ଜୁନ୍ ୨୦୨୮ ଥିଲା ।
ଆୟୋଗଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ନିର୍ବାଚନ ପାଇଁ ବିଜ୍ଞପ୍ତି ଜୁନ୍ ୧ ରେ ଜାରି କରାଯିବ । ଜୁନ୍ ୮ ତାରିଖ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ସ୍ଥିର କରାଯାଇଥିବା ବେଳେ ଜୁନ୍ ୯ ରେ କାଗଜପତ୍ର ଯାଂଚ୍ କରାଯିବ । ପ୍ରାର୍ଥୀମାନେ ଜୁନ୍ ୧୧ ପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରତ୍ୟାହାର କରିପାରିବେ । ମତଦାନ ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ଏବଂ ସେହିଦିନ ଅପରାହ୍ନ ୫ଟାରୁ ଭୋଟ ଗଣତି ହେବ । ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର ଚାରୋଟି ଆସନ ପାଇଁ ମତଦାନ ହେବ; ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ତିନୋଟି ଆସନ; ଝାଡ଼ଖଣ୍ଡର ଦୁଇଟି ଆସନ; ଏବଂ ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ମେଘାଳୟର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ