
ଡେରାଡୁନ, ୨୨ ମଇ(ହି.ସ.) – ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଉତରାଖଣ୍ଡରେ ସର୍ବସାଧାରଣ ରାସ୍ତାରେ ନମାଜ ପଢ଼ିବାକୁ ଅନୁମତି ଦିଆଯିବ ନାହିଁ। ରାସ୍ତା ସାଧାରଣ ଜନତାଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ଏବଂ କେହି ଆଇନର ଊର୍ଦ୍ଧ୍ୱରେ ହୋଇପାରିବେ ନାହିଁ। ସେ କହିଥିଲେ ଯେ ଚାରଧାମ ଯାତ୍ରା ସମୟରେ ରାଜ୍ୟରେ ଶାନ୍ତି ଓ ଗମନାଗମନ ବଜାୟ ରଖିବା ସରକାରଙ୍କ ପ୍ରାଥମିକତା। ସାର୍ବଜନୀନ ବ୍ୟବସ୍ଥାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଏଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ, ସର୍ବସାଧାରଣ ରାସ୍ତାରେ ନମାଜ ପଢ଼ିବା ଉପରେ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ଦେବଭୂମି ଉତରାଖଣ୍ଡର ରାସ୍ତାଗୁଡ଼ିକୁ ଧାର୍ମିକ କାର୍ଯ୍ୟକଳାପ କିମ୍ବା ପ୍ରଦର୍ଶନର ମାଧ୍ୟମ ହେବାକୁ ଦିଆଯିବ ନାହିଁ ଏବଂ କେହି ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି।’ ସେ କହିଥିଲେ ଯେ ରାଜ୍ୟ ସରକାର ସମସ୍ତ ଧର୍ମ ଏବଂ ବିଶ୍ୱାସକୁ ସମ୍ମାନ କରନ୍ତି, କିନ୍ତୁ ସାର୍ବଜନୀନ ବ୍ୟବସ୍ଥା ଏବଂ ସାଧାରଣ ନାଗରିକଙ୍କ ସୁବିଧା ସର୍ବାଗ୍ରେ ରହିଛି। ସେ କହିଥିଲେ ଯେ ବର୍ତମାନ ଚାରିଧାମ ଯାତ୍ରା କାରଣରୁ ଲକ୍ଷ ଲକ୍ଷ ଭକ୍ତ ଉତରାଖଣ୍ଡରେ ପହଂଚୁଛନ୍ତି, ତେଣୁ ଟ୍ରାଫିକ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ହେଉଛି ସରକାରଙ୍କ ସବୁଠାରୁ ବଡ଼ ଦାୟିତ୍ୱ। ସେ କହିଥିଲେ ଯେ ସଡ଼କଗୁଡ଼ିକ ସାଧାରଣ ଜନତାଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ଏବଂ ସେଗୁଡ଼ିକୁ କୌଣସି ପ୍ରକାରେ ଅବରୋଧ କରିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଯେ କେବଳ ମସଜିଦ, ଈଦଗାହ ଏବଂ ନିର୍ଦ୍ଧାରିତ ସ୍ଥାନରେ ନମାଜ ପଢ଼ିବା ଉଚିତ। ସର୍ବସାଧାରଣ ରାସ୍ତା ଅବରୋଧ କରି ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି