
ନୂଆଦିଲ୍ଲୀ, ମେ ୨୩ (ହି.ସ.) - କେନ୍ଦ୍ର ସରକାର ଦିଲ୍ଲୀର ଲୁଟିୟନ୍ସ ଜୋନରେ ଥିବା ଆଇକନିକ ଦିଲ୍ଲୀ ଜିମଖାନା କ୍ଲବକୁ ଜୁନ ୫ ପର୍ଯ୍ୟନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର କହିଛନ୍ତି ଯେ ୨୭୩ ଏକରରେ ବ୍ୟାପିଥିବା ଏହି ଜମି ପ୍ରତିରକ୍ଷା ଭିତିଭୂମି ଏବଂ ଗୁରୁତ୍ୱପୂର୍ଣ୍ଣ ଜନ ସୁରକ୍ଷା କାର୍ଯ୍ୟକୁ ମଜବୁତ କରିବା ପାଇଁ ଆବଶ୍ୟକ ।
କେନ୍ଦ୍ର ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଜମି ଏବଂ ବିକାଶ କାର୍ଯ୍ୟାଳୟ ମେ ୨୨ ରେ କ୍ଲବ୍ ସଚିବଙ୍କୁ ଏକ ଚିଠିରେ ଏହି ନିର୍ଦ୍ଦେଶନାମା ଜାରି କରିଛି । ଆଦେଶରେ କୁହାଯାଇଛି ଯେ ୨, ସଫଦରଜଙ୍ଗ ରୋଡରେ ଅବସ୍ଥିତ ପରିସର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ରଣନୈତିକ ଅଂଚଳରେ ପଡ଼େ ତେଣୁ ସରକାର ଲିଜ୍ ସମାପ୍ତ କରି ଜମି ଦଖଲକୁ ଫେରାଇ ନେବାକୁ ନିଷ୍ପତି ନେଇଛନ୍ତି ।
ଚିଠିରେ କୁହାଯାଇଛି ଯେ ଲିଜ୍ ଚୁକ୍ତିର ଧାରା ୪ ଅନୁଯାୟୀ, ଯଦି କୌଣସି ସାର୍ବଜନୀନ ଉଦ୍ଦେଶ୍ୟରେ ଏହାର ଆବଶ୍ୟକତା ପଡ଼େ, ତେବେ ଉକ୍ତ ପରିସରକୁ ଫେରାଇ ନେବାର ଅଧିକାର ସରକାରଙ୍କ ପାଖରେ ରହିଛି । ଏହି ବ୍ୟବସ୍ଥା ଅନୁଯାୟୀ, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ପଟ୍ଟା ସମାପ୍ତ ହୋଇଛି ଏବଂ ଜମିକୁ ପୁନର୍ବାର ପ୍ରବେଶ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ଆଦେଶରେ କୁହାଯାଇଛି ଯେ ୨୭୩ ଏକର ଜମିରେ ଥିବା ସମସ୍ତ କୋଠା, ସଂରଚନା, ଲନ୍ ଏବଂ ସୁବିଧା ବର୍ତମାନ ରାଷ୍ଟ୍ରପତିଙ୍କ ଅଧୀନରେ ଥିବା ଜମି ଏବଂ ବିକାଶ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ