
ମୁମ୍ବାଇ, ୨୩ ମଇ(ହି.ସ.) – ମହାରାଷ୍ଟ୍ରର ଡୋମ୍ବିଭଲି ଏବଂ ନଭି ମୁମ୍ବାଇରେ ପୋଲିସ ୨୪ ଜଣ ନାଇଜେରିଆ ନାଗରିକଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୧୪ ଜଣ ପୁରୁଷ, ୬ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।
କଲ୍ୟାଣ ସର୍କଲର ଡେପୁଟି କମିଶନର ଅଫ୍ ପୋଲିସ୍ ଅତୁଲ ଜେଣ୍ଡେ ଶନିବାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏକ ଗୁପ୍ତ ସୂଚନା ଆଧାରରେ ନଭି ମୁମ୍ବାଇ ଏବଂ ଥାନେ ପୋଲିସ ମିଳିତ ଭାବରେ ଗତକାଲି ରାତିରେ ଖୋନିର ପାଲାୱା ଅଂଚଳର ଡାଉନ୍ଟାଉନ୍ ଏବଂ କ୍ରାଉନ୍ ପାଲାୱାର ଅଟ୍ଟାଳିକାରେ ଏକ କମ୍ବିଂ ଅପରେସନ୍ କରିଥିଲେ। ଏହି ଅପରେସନରେ ୨୪ ଜଣ ନାଇଜେରିଆ ନାଗରିକଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ସାଧାରଣ ନାଗରିକଙ୍କ ମଧ୍ୟରେ ୧୪ ଜଣ ପୁରୁଷ, ୬ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ପୋଲିସ୍ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ପାଖରେ ଭାରତରେ ରହିବା ପାଇଁ ଆବଶ୍ୟକ ସରକାରୀ କାଗଜପତ୍ର ନଥିଲା।
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ୯ ଜଣ ନାଇଜେରିଆ ନାଗରିକଙ୍କ ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ନିଶାଦ୍ରବ୍ୟ କାରବାର ଏବଂ ନିଶାଦ୍ରବ୍ୟ ସମ୍ବନ୍ଧୀୟ ଅପରାଧ ପଞ୍ଜିକୃତ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି