
ଲକ୍ଷ୍ନୌ, ୨୫ ମଇ (ହି.ସ.)- ଉତର ପ୍ରଦେଶ ସରକାର ଆର୍ଥିକ ବର୍ଷ ୨୦୨୫-୨୦୨୬ ରେ ଜିଏସଟି ଏବଂ ଭ୍ୟାଟ୍ ରୁ ମୋଟ୍ ୧,୧୫,୯୭୭ କୋଟି ଟଙ୍କା ରାଜସ୍ୱ ଅର୍ଜନ କରିଛନ୍ତି, ଯାହା ସଂଶୋଧିତ ଆକଳନର ପ୍ରାୟ ୯୮.୮ ପ୍ରତିଶତ ଥିଲା । ଜିଏସଟିରେ ଉତର ପ୍ରଦେଶ ଦେଶରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଯଥାକ୍ରମେ ପ୍ରଥମ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଦେଶରେ ସର୍ବାଧିକ ୨୧.୮୨ ଲକ୍ଷ ସକ୍ରିୟ ଜିଏସଟି ଟିକସଦାତା ଉତରପ୍ରଦେଶରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟିକସ ସଂଗ୍ରହ ବୃଦ୍ଧି କରିବା ସହିତ ସଚ୍ଚୋଟ ବ୍ୟବସାୟୀମାନଙ୍କୁ ସୁବିଧା, ସମ୍ମାନ ଏବଂ ଶୀଘ୍ର ସମାଧାନର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ସୋମବାର ଦିନ ରାଜ୍ୟ ଟିକସ ବିଭାଗର ପ୍ରଶାସନ, ମୁଖ୍ୟାଳୟ ଏବଂ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ, ରାଜ୍ୟର ଅର୍ଥବ୍ୟବସ୍ଥାକୁ ଏକ ଟ୍ରିଲିୟନ ଡଲାର ଲକ୍ଷ୍ୟସ୍ଥଳରେ ପହଂଚାଇବାରେ ରାଜ୍ୟ ଟିକସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଭାଗକୁ ରାଜସ୍ୱ ଅଭିବୃଦ୍ଧି ସହିତ ବିଶ୍ୱାସ ଆଧାରିତ ପ୍ରଶାସନର ଏକ ମଡେଲ ଉପସ୍ଥାପନ କରିବାକୁ ପଡ଼ିବ । ଟିକସ ବ୍ୟବସ୍ଥାକୁ ଅଧିକ ସରଳ, ଡିଜିଟାଲ ଏବଂ ଉତରଦାୟୀ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ । ଜିଏସଟି ପଞ୍ଜୀକରଣ, ରିଟର୍ଣ୍ଣ ଦାଖଲ, ଅପିଲ୍ ର ସମାଧାନ ଏବଂ ରିଫଣ୍ଡ ଭଳି ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ ଦୂର କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟୀମାନଙ୍କ ସହିତ ନିରନ୍ତର ଯୋଗାଯୋଗ ବଜାୟ ରଖିବା, କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସମ୍ବେଦନଶୀଳ କରିବା ଏବଂ ଜିଲ୍ଲା ତଥା ବ୍ଲକ ସ୍ତର ପର୍ଯ୍ୟନ୍ତ ଟିକସଦାତା ସହାୟତା କାର୍ଯ୍ୟକ୍ରମ ଚଳାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟା ଏବଂ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ଟିକସ ଫାଙ୍କି ରୋକିବା ସହିତ ବୈଧ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ