
ମୁମ୍ବାଇ, ୨୫ ମଇ (ହି.ସ.)- ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲାର ମହାବଳେଶ୍ୱର-ପୋଲାଦପୁର ରାସ୍ତାରେ ଅମ୍ବାନାଲି ଘାଟ ଅଂଚଳରେ ଗତକାଲି ରାତିରେ ଏକ କାର ୮୦୦ ଫୁଟ ଗଭୀର ଗିରିଖାତକୁ ଖସି ପଡ଼ିବା ଫଳରେ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ସୋମବାର ସକାଳଠାରୁ ଏପର୍ଯ୍ୟନ୍ତ ଗିରିଖାତାରୁ ପାଂଚଟି ମୃତଦେହ ଉଦ୍ଧାର କରିଛନ୍ତି । ବର୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏହି ଘଟଣାର ତଦନ୍ତ କରୁଥିବା ହାଇୱେ ପୋଲିସ ଅଧିକାରୀ କହିଛନ୍ତି ଯେ, ସତାରା ଜିଲ୍ଲାର ସମସ୍ତ ବାସିନ୍ଦା ଆଠ ଜଣ ଲୋକ ଶନିବାର ଦିନ ରତ୍ନଗିରି ଜିଲ୍ଲାର ଦାପୋଲି ଆସିଥିଲେ । ରବିବାର ବିଳମ୍ବିତ ରାତିରେ ସେମାନେ ସମସ୍ତେ କାରରେ ଦାପୋଲିରୁ ସତାରା ଫେରୁଥିଲେ । ଯେତେବେଳେ ତାଙ୍କ କାରଟି ଅମ୍ବେନାଲି ଘାଟରେ ପହଂଚିଥିଲା, ଡ୍ରାଇଭର ହଠାତ୍ କାର୍ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲେ ଏବଂ କାର୍ ଟି ପ୍ରାୟ ୮୦୦ ଫୁଟ ଗଭୀରରେ ଏକ ଗିରିଖାତକୁ ଖସି ପଡ଼ିଥିଲା ।
ଯେତେବେଳେ କାର୍ ରେ ଯାତ୍ରା କରୁଥିବା ଯୁବକମାନେ ଘରେ ପହଂଚି ନଥିଲେ, ପରିବାର ହାଇୱେ ପୋଲିସ ସହିତ ଯୋଗାଯୋଗ କରିଥିଲେ । ଏବଂ ମୋବାଇଲ୍ ଟ୍ରାକିଂରୁ ଜଣାପଡିଥିଲା ଯେ, ସେମାନଙ୍କ କାର୍ ନଦୀରେ ଖସି ପଡ଼ିଛି । ଏହା ପରେ ରବିବାର ଦିନ ଭୋରରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାବଳେଶ୍ୱର ଟ୍ରେକର୍ସ ଏବଂ ପ୍ରତାପଗଡ଼ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ । ଏପର୍ଯ୍ୟନ୍ତ, ପାଂଚ ଜଣଙ୍କ ମୃତଦେହ ଗିରିଖାତରୁ ଉଦ୍ଧାର କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ