
ନୂଆଦିଲ୍ଲୀ, ୨୭ ମଇ(ହି.ସ.) – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମ ବିଧାନସଭାରେ ୟୁନିଫର୍ମ ସିଭିଲ୍ କୋଡ୍(ୟୁ.ସି.ସି.) ବିଲ୍ ପାସ୍ କରିଥିବାରୁ ଆସାମର ଜନସାଧାରଣ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ବିଧାୟକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଥିଲେ ଯେ ୟୁ.ସି.ସି. ଆରମ୍ଭରୁ ଭାରତୀୟ ଜନତା ପାର୍ଟିର ସଂକଳ୍ପ ହୋଇ ରହିଛି।
ବୁଧବାର ଦିନ ଏକ ଏକ୍ସ ପୋଷ୍ଟରେ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିଶାସିତ ରାଜ୍ୟ ସରକାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାନ ଆଇନ ପ୍ରତିଷ୍ଠା କରୁଛନ୍ତି। ଉତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଆସାମ ମଧ୍ୟ ୟୁ.ସି.ସି. ବିଲ୍ ପାସ୍ କରି ଇତିହାସ ସୃଷ୍ଟି କରିଛି। ଏହି ବିଲ୍କୁ ସମର୍ଥନ କରିଥିବା ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏବଂ ସମସ୍ତ ବିଧାୟକଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଦେଶର ପ୍ରତ୍ୟେକ ଭାଗରେ ଆଇନ ଆଗରେ ସମାନତାର ନୀତି ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ।
ଉଲ୍ଲେଖନୀୟ କଥା ହେଉଛି, ଦୀର୍ଘ ଏବଂ ତୀବ୍ର ବିତର୍କ ପରେ ବୁଧବାର ଦିନ ଆସାମ ବିଧାନସଭାରେ ୟୁ.ସି.ସି. ବିଲ୍ ବାଚନିକ ଭୋଟରେ ପାରିତ ହୋଇଥିଲା। ଏହାର କାର୍ଯ୍ୟକାରିତା ପରେ, ୟୁ.ସି.ସି. କାର୍ଯ୍ୟକାରୀ କରିବାରେ ଆସାମ ଦେଶର ତୃତୀୟ ଏବଂ ଉତର-ପୂର୍ବରେ ପ୍ରଥମ ରାଜ୍ୟ ହେବ। ଏହି ବିଲ୍ରେ ବହୁ ବିବାହ ନିଷେଧ, ବିବାହ ଏବଂ ଛାଡ଼ପତ୍ରର ବାଧ୍ୟତାମୂଳକ ପଞ୍ଜୀକରଣ ଏବଂ ଲିଭ୍-ଇନ୍ ସମ୍ପର୍କର ପଞ୍ଜୀକରଣ ପାଇଁ ବ୍ୟବସ୍ଥା ରହିଛି। ତେବେ, ଅନୁସୂଚିତ ଜନଜାତି ସମ୍ପ୍ରଦାୟଗୁଡ଼ିକୁ ଏହାର ପରିସରରୁ ବାଦ୍ ଦିଆଯାଇଛି।
ବିଧାନସଭାରେ ବିତର୍କ ସମୟରେ ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ ଯେ ଏହି ଆଇନ ବ୍ୟକ୍ତିଗତ ଧାର୍ମିକ ପରମ୍ପରାରେ ହସ୍ତକ୍ଷେପ କରିବ, ଯେତେବେଳେ ମୁଖ୍ୟମନ୍ତ୍ରୀ ସରମା କହିଥିଲେ ଯେ ଏହି ଆଇନର ଉଦ୍ଦେଶ୍ୟ ହେଉଛି ସମସ୍ତ ନାଗରିକ, ବିଶେଷ କରି ମହିଳାମାନଙ୍କୁ ସମାନ ଅଧିକାର ଏବଂ ନ୍ୟାୟ ସୁନିଶ୍ଚିତ କରିବା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି