
ନୂଆଦିଲ୍ଲୀ, ୨୮ ମଇ(ହି.ସ.) – କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍ଏୱାଇ-ଜି) ଅଧୀନରେ ୧୨ଟି ରାଜ୍ୟକୁ ୧୦,୦୨୧.୪୨ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମ୍ମାସାନୀ ମଧ୍ୟ ଉପସ୍ଥିତ ଥିଲେ। ଯେଉଁ ରାଜ୍ୟଗୁଡ଼ିକୁ ପାଣ୍ଠି ପ୍ରଦାନ କରାଯାଇଛି, ସେଗୁଡ଼ିକ ମଧ୍ୟରେ ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ ଏବଂ ଉତର ପ୍ରଦେଶ ରହିଛି।
ଉତର ପ୍ରଦେଶର ଗ୍ରାମୀଣ ବିକାଶ ମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ରାଜସ୍ଥାନ ମନ୍ତ୍ରୀ ଡକ୍ଟର କିରୋଡ଼ୀ ଲାଲ ମୀନା, ଆସାମ ମନ୍ତ୍ରୀ ଅତୁଲ ବୋରା, ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଚିବ ରୋହିତ କନସାଲଙ୍କ ସମେତ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଗଣମାଧ୍ୟମ ସହ କଥାବାର୍ତା କରି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ୪୯ କୋଟି ୯୫ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ଥିବାବେଳେ ଏପର୍ଯ୍ୟନ୍ତ ୩୯ କୋଟି ୧ ଲକ୍ଷ ଘର ମଞ୍ଜୁର କରାଯାଇଛି ଏବଂ ୩୦ କୋଟି ୫ ଲକ୍ଷରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି।
ସେ କହିଥିଲେ ଯେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଜରିଆରେ ଗ୍ରାମୀଣ ପରିବାରଗୁଡ଼ିକର ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି