
ନୂଆଦିଲ୍ଲୀ, ୨୮ ମଇ (ହି.ସ.)- ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ) ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ଗାଜିଆବାଦରେ ଏକ ସ୍ୱତନ୍ତ୍ର ଯାଂଚ୍ ଅଭିଯାନ ଚଳାଇଛି । ଏହି ଅଭିଯାନ ଅଧୀନରେ ଧୂଳି ନିୟନ୍ତ୍ରଣ ନିୟମାବଳୀକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଏବଂ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ୧୦ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ନିୟୋଜିତ କରାଯାଇଛି ।
ସିଏକ୍ୟୁଏମ ଅନୁଯାୟୀ, ବାୟୁ ଗୁଣବତାରେ ଉନ୍ନତି ଆଣିବା ଏବଂ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଆୟୋଗ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହା ଅଧୀନରେ ଗାଜିଆବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧୀନରେ ଆସୁଥିବା ବିଭିନ୍ନ ପ୍ରମୁଖ ରାସ୍ତା ଏବଂ ସ୍ଥାନୀୟ ଅଂଚଳକୁ ଯାଂଚ୍ କରିବା ପାଇଁ ୧୦ଟି ସ୍ୱତନ୍ତ୍ର 'ଫ୍ଲାଇଙ୍ଗ୍ ସ୍କ୍ୱାଡ୍' ନିୟୋଜିତ କରାଯାଇଛି ।
ଧୂଳି ହ୍ରାସ କରିବାକୁ ନିଷ୍ପତି ନିଆଯାଇଥିବା ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସମ୍ପୃକ୍ତ କର୍ତୃପକ୍ଷଙ୍କ ତରଫରୁ କୌଣସି ତ୍ରୁଟି କିମ୍ବା ଅବହେଳା ଅତ୍ୟନ୍ତ ଗମ୍ଭୀରତାର ସହ ବିଚାର କରାଯିବ ବୋଲି ଆୟୋଗ କହିଛନ୍ତି । ଏହା ବ୍ୟତୀତ, ବାୟୁ ପ୍ରଦୂଷଣ ହଟସ୍ପଟ୍ ଚିହ୍ନଟ କରିବା ଏବଂ ସ୍ଥାନୀୟ ପ୍ରଦୂଷଣ ଉତ୍ସକୁ ହ୍ରାସ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ଭାବରେ ଦିଲ୍ଲୀ-ଏନସିଆରରେ 'ଅପରେସନ୍ କ୍ଲିନ ଏୟାର ଅଧୀନରେ ଯାଂଚ୍ ଅଭିଯାନ ଜାରି ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ