ଭୁବନେଶ୍ୱରରେ ଏବିଭିପିର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ସମ୍ପନ୍ନ
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଶିକ୍ଷା ସଂସ୍କାର, ମହିଳା ସୁରକ୍ଷା, ସହରୀ ମାଓବାଦ ଓ ବୈଶ୍ୱିକ ପରିସ୍ଥିତି ଉପରେ ଚାରିଟି ପ୍ରସ୍ତାବ ଗୃହୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ଓ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରାର ୬୦ ବର୍ଷ ଉପଲକ୍ଷେ ଏବିଭିପି ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଭୁବନେଶ୍ୱର, ୩୧ ମ
ଭୁବନେଶ୍ୱରରେ ଏବିଭିପିର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ସମ୍ପନ୍ନ


ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଶିକ୍ଷା ସଂସ୍କାର, ମହିଳା ସୁରକ୍ଷା, ସହରୀ ମାଓବାଦ ଓ ବୈଶ୍ୱିକ ପରିସ୍ଥିତି ଉପରେ ଚାରିଟି ପ୍ରସ୍ତାବ ଗୃହୀତ

‘ବନ୍ଦେ ମାତରମ୍’ର ୧୫୦ ବର୍ଷ ଓ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରାର ୬୦ ବର୍ଷ ଉପଲକ୍ଷେ ଏବିଭିପି ପକ୍ଷରୁ ଦେଶବ୍ୟାପୀ ଅଭିଯାନ

ଭୁବନେଶ୍ୱର, ୩୧ ମଇ (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ୨୯ରୁ ୩୧ ମେ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଭୁବନେଶ୍ୱରରେ ସମ୍ପନ୍ନ ହୋଇଛି। ଦେଶର ୪୬ଟି ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିନିଧି କାର୍ଯ୍ୟକର୍ତ୍ତା ଏହି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ‘ଶିକ୍ଷା ସଂସ୍କାରକୁ ଫଳପ୍ରଦ କରିବା ପାଇଁ ଭୂମିସ୍ତରରେ ପ୍ରଭାବୀ କାର୍ଯ୍ୟାନ୍ୱୟନ ଆବଶ୍ୟକ’, ‘ସଶସ୍ତ୍ର ମାଓବାଦର ଅବସାନ କାଳରେ ସହରୀ ମାଓବାଦ ଏକ ଗମ୍ଭୀର ସମସ୍ୟା’, ‘ସଂଗଠିତ ଅପରାଧୀ ଓ ଜିହାଦୀ ମାନସିକତା ଦ୍ୱାରା ମହିଳାଙ୍କ ଶୋଷଣ ଓ ଧର୍ମାନ୍ତରଣ ଉପରେ ଲଗାମ’ ଏବଂ ‘ବୈଶ୍ୱିକ ଅନିଶ୍ଚିତତାର ସମୟରେ ସଂଯମ ଓ ସଜାଗତାର ସାମୂହିକ ରାଷ୍ଟ୍ରୀୟ ସଂକଳ୍ପ ସମୟର ଆବଶ୍ୟକତା’ ବିଷୟକ ଚାରିଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ପୂର୍ବରୁ ୨୭ ମେ ତାରିଖରେ ଆୟୋଜିତ କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକରେ ‘ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃସ୍ଥାପନା ପାଇଁ ପଶ୍ଚିମବଙ୍ଗର ଜନମାନସଙ୍କୁ ଅଭିନନ୍ଦନ’ ବିଷୟକ ଅଭିନନ୍ଦନ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିପରି, ଏବିଭିପି ଏହି ବୈଠକ ମାଧ୍ୟମରେ ଭାରତୀୟ ଶିଳ୍ପ ଜଗତକୁ ଗବେଷଣା ଓ ବିକାଶ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଆହ୍ୱାନ ଜଣାଇଛି, ଯାହା ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଦିଗରେ ଗତି ପ୍ରଦାନ କରିବ।

ବୈଠକରେ ରାଷ୍ଟ୍ରୀୟ ପରିସ୍ଥିତି, ଶିକ୍ଷା ବ୍ୟବସ୍ଥା, ଯୁବଶକ୍ତିର ଭୂମିକା, ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ-ଆର୍ଥିକ ବିଷୟ ଓ ସମସାମୟିକ ସମସ୍ୟା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହା ସହିତ ଅଖିଳ ଭାରତୀୟ ଚିନ୍ତନ ବୈଠକ ଓ ସାଙ୍ଗଠନିକ ଚିନ୍ତନ ବୈଠକର ନିଷ୍ପତ୍ତିଗୁଡ଼ିକର ସମୀକ୍ଷା, ଅଭିଯାନାତ୍ମକ, କାର୍ଯ୍ୟକ୍ରମାତ୍ମକ ଓ ସାଙ୍ଗଠନିକ କାର୍ଯ୍ୟର ମୂଲ୍ୟାଙ୍କନ ଏବଂ ଆଗାମୀ ବର୍ଷର ବିସ୍ତୃତ କାର୍ଯ୍ୟଯୋଜନା ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା। ଅନ୍ତର୍ରାଜ୍ୟୀୟ ଛାତ୍ର ଜୀବନ ଦର୍ଶନ ର ଗୌରବମୟ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରାର ୬୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଭାରତରେ ସିଲ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ବ୍ୟତୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ, ଜରୁରୀକାଳ ବିରୋଧର ୫୦ ବର୍ଷ, ଶ୍ରୀ ଗୁରୁ ତେଗବହାଦୁରଙ୍କ ବଳିଦାନ ଦିବସର ୩୫୦ ବର୍ଷ ଏବଂ ସନ୍ଥ ରବିଦାସଜୀଙ୍କ ୬୫୦ତମ ପ୍ରାକଟ୍ୟ ଉତ୍ସବ ଭଳି ବିଭିନ୍ନ ଉପଲକ୍ଷେ ବର୍ଷବ୍ୟାପୀ ଦେଶବ୍ୟାପୀ ଅଭିଯାନ ଚାଲିବ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡଃ ବୀରେନ୍ଦ୍ର ସିଂହ ସୋଲଙ୍କୀ କହିଛନ୍ତି, “ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବଗୁଡ଼ିକ କେବଳ ବର୍ତ୍ତମାନର ସମସ୍ୟାଗୁଡ଼ିକ ପ୍ରତି ଏବିଭିପିର ପ୍ରତିକ୍ରିୟା ନୁହେଁ, ବରଂ ବିକଶିତ, ସୁରକ୍ଷିତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆମର ବ୍ୟାପକ ଦୃଷ୍ଟିକୋଣର ପ୍ରତିଫଳନ ମଧ୍ୟ। ଶିକ୍ଷା ବ୍ୟବସ୍ଥାକୁ ଅଧିକ ଫଳପ୍ରଦ ଓ ଛାତ୍ରକେନ୍ଦ୍ରିକ କରିବା, ରାଷ୍ଟ୍ରୀୟ ସୁରକ୍ଷା ସମ୍ମୁଖୀନ ସହରୀ ମାଓବାଦ ଭଳି ସମସ୍ୟାର ପ୍ରଭାବୀ ସମାଧାନ କରିବା, ମହିଳାଙ୍କ ବିରୋଧରେ ସଂଗଠିତ ଅପରାଧ ଓ ଧର୍ମାନ୍ତରଣର ଷଡଯନ୍ତ୍ର ଉପରେ ଅଙ୍କୁଶ ଲଗାଇବା ଏବଂ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ରାଷ୍ଟ୍ରହିତକୁ ସର୍ବୋପରି ରଖିବାର ସାମୂହିକ ସଂକଳ୍ପ ଏହି ବୈଠକ ମାଧ୍ୟମରେ ବ୍ୟକ୍ତ ହୋଇଛି। ଭାରତକୁ ବୈଶ୍ୱିକ ନବସୃଜନ ଓ ଜ୍ଞାନଭିତ୍ତିକ ଅର୍ଥନୀତିର ନେତୃତ୍ୱକାରୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ଯୁବଶକ୍ତି, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ଜଗତ ମଧ୍ୟରେ ସଶକ୍ତ ସମନ୍ୱୟ ଆବଶ୍ୟକ। ଏବିଭିପି ବୈଠକ ମାଧ୍ୟମରେ ଭାରତୀୟ ଶିଳ୍ପ ଜଗତକୁ ଆହ୍ୱାନ କରିଛି ଯେ, ସେମାନେ ଗବେଷଣା ଓ ବିକାଶରେ ନିବେଶ ବୃଦ୍ଧି କରନ୍ତୁ ଏବଂ ଯୁବଶକ୍ତି ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଦୀର୍ଘକାଳୀନ ସହଭାଗିତା ସ୍ଥାପନ କରନ୍ତୁ। ଆମର ବିଶ୍ୱାସ ଯେ, ଭାରତର ଯୁବଶକ୍ତି ନିଜ ପ୍ରତିଭା, ନବସୃଜନ କ୍ଷମତା ଓ ରାଷ୍ଟ୍ରୀୟ ଚେତନା ବଳରେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବେ ଏବଂ ଏବିଭିପିର ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ସେହି ଦିଗରେ ସତତ ନେତୃତ୍ୱକାରୀ ଭୂମିକା ନିର୍ବାହ କରିବ।”

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande