
କୋଲକାତା, ୮ ମଇ (ହି.ସ.) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳବିରୋଧୀ କାର୍ଯ୍ୟକଳାପ ଏବଂ ସାର୍ବଜନୀନ ଭାବେ ଶୃଙ୍ଖଳାଭଙ୍ଗକାରୀ ମନ୍ତବ୍ୟ ଦେବା ଅଭିଯୋଗରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ପକ୍ଷରୁ ପାଞ୍ଚ ଜଣ ଦଳୀୟ ପ୍ରବକ୍ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଦଳୀୟ ସୂତ୍ର ଅନୁସାରେ, ଯେଉଁ ନେତାମାନଙ୍କୁ ନୋଟିସ ପଠାଯାଇଛି ସେମାନଙ୍କ ମଧ୍ୟରେ ରିଜୁ ଦତା, କୃଷ୍ଣେନ୍ଦୁ ଚୌଧୁରୀ, କୋହିନୁର ମଜୁମଦାର, ପାପିଆ ଘୋଷ, କାର୍ତିକ ଘୋଷ ରହିଛନ୍ତି । ସମସ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଲିଖିତ ଉତ୍ତର ଦେବାକୁ କୁହାଯାଇଛି।
ଦଳର ଶୃଙ୍ଖଳା କମିଟି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ, ସମ୍ପୃକ୍ତ ନେତାମାନଙ୍କର ସମ୍ପ୍ରତିକ ବୟାନ ଦଳର ଭାବମୂର୍ତିକୁ କ୍ଷତିଗ୍ରସ୍ତ କରୁଛି ଏବଂ ଦଳୀୟ ଶୃଙ୍ଖଳାବିରୋଧୀ। ଏପରି ମନ୍ତବ୍ୟ ଦଳର ଏକତା ଓ କାର୍ଯ୍ୟପ୍ରଣାଳୀ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ଦଳୀୟ ସଂବିଧାନ ଅନୁଯାୟୀ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି। ତଦନ୍ତ ପ୍ରକ୍ରିୟା ଶେଷ ନ ହେବା ଯାଏ ସମ୍ପୃକ୍ତ ନେତାମାନଙ୍କୁ ଏହି ବିଷୟରେ ସାର୍ବଜନୀନ ମନ୍ତବ୍ୟ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ