
ଗୌହାଟୀ, ୯ ମଇ (ହି.ସ.)- ଆସାମ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମଙ୍ଗଳବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ୨୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପି ଏବଂ ଏନଡିଏ ର ଜାତୀୟ ନେତା ତଥା ବହୁ ସଂଖ୍ୟକ ବଡ଼ ଶିଳ୍ପପତି ଯୋଗଦେବେ ।
ଶନିବାର ଦିନ ବଙ୍ଗଳା ଗସ୍ତ ପୂର୍ବରୁ ବିଦାୟୀ ମୁଖ୍ୟମନ୍ତ୍ରୀ ଡଃ. ହିମାନ୍ତ ବିଶ୍ୱ ଶର୍ମା ସାମ୍ବାଦିକମାନଙ୍କ ସହ କଥାବାର୍ତା କରି କହିଛନ୍ତି ଯେ, ଏହି ବଡ଼ ନେତାଙ୍କ ସହିତ ଆସାମରେ ଭାରତୀୟ ଜନତା ପାର୍ଟି (ବିଜେପି) ତଥା ଏନଡିଏ ର ବୁଥ୍ ସଭାପତି ଏବଂ ନିର୍ବାଚିତ ପଂଚାୟତ ସଭାପତିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେ କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାରଣରୁ ଆସାମ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଜେ. ପି. ନଡ୍ଡା ଏବଂ ନାୟାବ ସିଂ ସାଇନିଙ୍କୁ ଆଜି ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମକୁ ପୁନଃନିର୍ଦ୍ଧାରିତ କରାଯାଇଛି । ଯେଉଁ କାରଣରୁ ଏହି ବୈଠକକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ସେ ସୂଚନା ଦେଇଛନ୍ତି ଯେ, ସମୟ ପରିବର୍ତନ ସହିତ ବିଜେପି ବିଧାୟକ ଦଳ ବୈଠକକୁ ବର୍ତମାନ ପୁନଃନିର୍ଦ୍ଧାରିତ କରାଯାଇଛି । ବର୍ତମାନ ବିଜେପି ବିଧାୟକ ଦଳର ବୈଠକ ମଇ ୧୦ ତାରିଖ ସକାଳ ୯ଟାରେ ଆୟୋଜିତ ହେବ । ଏହା ପରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନ୍. ଡି. ଏ.) ର ଏକ ବୈଠକ ମଧ୍ୟ ଆୟୋଜିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ