
ନୂଆଦିଲ୍ଲୀ/ଥିରୁଅନନ୍ତପୁରମ୍ଃ, ୯ ମେ (ହି.ସ.) - କେରଳ ବିଧାନସଭା ନିର୍ବାଚନରେ ୟୁନାଇଟେଡ ଡେମୋକ୍ରାଟିକ ଫ୍ରନଟ (ୟୁଡିଏଫ)ର ବିପୁଳ ବିଜୟ ପରେ ରାଜ୍ୟର ପରବର୍ତୀ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଏବେ କଂଗ୍ରେସରେ ତୀବ୍ର ମନ୍ଥନ ଚାଲିଛି। କଂଗ୍ରେସ ହାଇକମାଣ୍ଡ ଶନିବାର ଦିଲ୍ଲୀରେ କେରଳର ବରିଷ୍ଠ ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଯଦି ସହମତି ହୁଏ, ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ଦଳର ନେତୃତ୍ୱ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ଚୂଡ଼ାନ୍ତ ନିଷ୍ପତି ନେବେ ବୋଲି ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ବର୍ତମାନ ତିନି ଜଣ ପ୍ରମୁଖ କଂଗ୍ରେସ ନେତାଙ୍କ ମଧ୍ୟରେ ହେଉଥିବା ଦେଖାଯାଉଛି। ସେମାନଙ୍କ ମଧ୍ୟରେ ସର୍ବଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ. ସି. ଭେନୁଗୋପାଳ, କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭି. ଡି. ସତୀସନ ଏବଂ ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲା ସାମିଲ ଅଛନ୍ତି। ଏହି ତିନି ନେତାଙ୍କୁ ଦଳ ଏବଂ ୟୁ. ଡି. ଏଫ୍. ର ବିଭିନ୍ନ ଗୋଷ୍ଠୀ ସମର୍ଥନ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ