
ବେଙ୍ଗାଲୁରୁ, ୯ ମଇ (ହି.ସ.) : କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ଅନ୍ତର୍ଗତ କୁନିଗଲ ତାଲୁକାର ହୋନେନହଲ୍ଲୀ ନିକଟରେ ଶନିବାର ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଆଲ୍ଟୋ କାରରେ ଯାଉଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସାର ଭର୍ତ୍ତି ଏକ ଟ୍ରକ୍ ସହ କାରର ମୁହାଁମୁହିଁ ଧକ୍କା ହେବାରୁ କାରଟି ସମ୍ପୂର୍ଣ୍ଣ ଭାବେ ଚୁନା ହୋଇଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଧକ୍କା ଏତେ ଜୋରଦାର ଥିଲା ଯେ କାର ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଭିତରେ ଥିବା ଯାତ୍ରୀମାନଙ୍କୁ ବାହାରିବାକୁ କୌଣସି ସୁଯୋଗ ମିଳିନଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।
ଖବର ପାଇ କୁନିଗଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କ୍ଷତିଗ୍ରସ୍ତ କାର ଭିତରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ପୁଲିସ ଓ ସ୍ଥାନୀୟ ଲୋକଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ