
ନୂଆଦିଲ୍ଲୀ, ୯ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୧୦ ତାରିଖରେ କର୍ଣ୍ଣାଟକ ଓ ତେଲେଙ୍ଗାନା ଗସ୍ତ କରିବେ । ଏହି ସମୟରେ ସେ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଙ୍ଗର ୪୫ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ହାଇଦ୍ରାବାଦରେ ପ୍ରାୟ ୯,୪୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରିବେ । ଦକ୍ଷିଣ ଭାରତରେ ଶିଳ୍ପ ବିକାଶ, ଭିତିଭୂମି, ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣକୁ ଏକ ନୂତନ ଗତି ଦେବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପି. ଏମ୍. ଓ.) ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ, ସେଥିରେ ହାଇଦ୍ରାବାଦ-ପାଣାଜୀ ଅର୍ଥନୈତିକ କରିଡର ଅଧୀନରେ ଗୁଡେବେଲ୍ଲୁରରୁ ମହବୁବନଗର ପର୍ଯ୍ୟନ୍ତ ଜାତୀୟ ରାଜପଥ ନଂ ୧୬୭କୁ ଚାରି ଲେନ ବିଶିଷ୍ଟ କରିବା ସାମିଲ୍ ରହିଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ୱାରା ତେଲେଙ୍ଗାନା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ସଡ଼କ ସଂଯୋଗ ସୁଦୃଢ଼ ହେବ ଏବଂ ବାଣିଜ୍ୟ ଓ ପରିବହନ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ମିଳିବ ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସାଙ୍ଗାରେଡ୍ଡି ଜିଲ୍ଲାରେ ବିକଶିତ ହେଉଥିବା ଜାହିରାବାଦ ଶିଳ୍ପ କ୍ଷେତ୍ରର ଶିଳାନ୍ୟାସ ମଧ୍ୟ କରିବେ । ପ୍ରାୟ ୩,୨୪୫ ଏକର ଜମିରେ ପରିବ୍ୟାପ୍ତ ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨,୩୫୦ କୋଟି ଟଙ୍କାରୁ ଅଧିକ ହେବ । ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଶିଳ୍ପ କ୍ଷେତ୍ରରେ ପାଖାପାଖି ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବାର ସମ୍ଭାବନା ରହିଛି, ଯାହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଏହି ଅଂଚଳରେ ଶିଳ୍ପ କାର୍ଯ୍ୟକଳାପକୁ ଏକ ନୂତନ ଦିଗ ଦେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ